
ଭଦ୍ରକ, ୨୮ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାରେ ହାରାହାରି ୧୦୪.୬୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଘୁଚାପ ଜନିତ ଏହି କ୍ରମାଗତ ବର୍ଷା ଯୋଗୁଁ ଧାମନଗର ଅଂଚଳରେ ଜନଜୀବନ ପ୍ରଭାବିତ ହୋଇଛ।ଅତିରିକ୍ତ ବର୍ଷା କାରଣରୁ ଧାମନଗର ଅଂଚଳରେ ବେହାଲ ଅବସ୍ଥା ସୃଷ୍ଟି ହୋଇଛି। ଧାମନଗର ସମେତ ଦୋବଲ, ଧୁଷୁରୀ ଏବଂ ଅଶୁରାଳୀ ଜୋନ ର ବିଭିନ୍ନ ପଂଚାୟତରେ ଚାଷ ଜମି ଗୁଡ଼ିକରେ ବର୍ଷା ଜଳ ଭରି ରହିଛି।ପ୍ରବଳ ବର୍ଷା ରେ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପଡି ପଡି ରାସ୍ତା ଉପରେ ପଡ଼ି ଥିବା ବେଳେ ଧାମନଗର ଦମକଳ ବାହିନୀ ଗଛ କାଟି ସଫାକରିଥିଲେ। ଏହା ସହିତ ଗ୍ରାମାଂଚଳର ବିଭିନ୍ନ ରାସ୍ତାଘାଟରେ ପାଣି ଜମିରହି ଯାତାୟାତ ପ୍ରଭାବିତ ହୋଇଛି। ସ୍ଥାନୀୟ ଧାମନଗର ଫଳପୁର ରାସ୍ତା, ବ୍ଲକ ରାସ୍ତା ଏବଂ ପେଟ୍ରୋଲ ପମ୍ପ ନିକଟସ୍ଥ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁଁ ବୈତରଣୀ ଓ କୋଚିଳା ନଦୀରେ ବନ୍ୟା ଆସିବାର ସମ୍ଭାବନା କୁୃ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଧାମନଗର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଏକ ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ସମସ୍ତ ଅଧିକାରୀ ମାନଙ୍କ ସହ। ସମ୍ଭାବ୍ୟ ବନ୍ୟା ସଂମ୍ପର୍କ ରେ ଆଲୋଚନା କରିଥିଲେ। ବ୍ଳକ ର ସମସ୍ତ ବିଦ୍ୟାଳୟ କୁ ଦୁଇଦିନ ପାଇଁ ଛୁଟି ଘୋଷଣା କରା ଯାଇ ଥିବାବେଳେ ୭ ଦିନ ପର୍ଯ୍ୟନ୍ତ କେହି ସରକାରୀ ଅଧିକାରି ଛୁଟି ନେଇ ପାରିବେ ନାହିଁ ବୋଲି ପ୍ରଶାସନ ତରଫରୁ ଘୋଷଣା କରା ଯାଇଛି। ଗର୍ଭବତି ମହିଳା ଓ ବୟସ୍କ ଲୋକ ଙ୍କୁ ଉଚ୍ଚା ସ୍ଥାନ ଓ ସୁରକ୍ଷିତ ସ୍ଥାନ କୁ ଯିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଚି। ପଧାନି ପଂଚାୟତ ର କୋଚିଳା ନଦୀର ବିପଦ ସଙ୍କୁଳ ନଦୀ ବନ୍ଧ ଦୁର୍ବଳ ଥିବାରୁ ସ୍ଥାନୀୟ ସଇଲୋ ଅଂଚଳ ର ଲୋକମାନେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ବିଦ୍ୟାଳୟ କୁ ଅସ୍ଥାୟୀ ଆଶ୍ରୟସ୍ଥଳ ଘୋଷଣା କରାଯାଇଛି। ସମସ୍ତ ପଂଚାୟତ ରେ ପରିସ୍ଥିତି କୁ ଲକ୍ଷ କରାଯାଇ ରନ୍ଧା ଖାଦ୍ୟ ଯୋଗାଇଦିଆ ଯିବ।ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିକୁ ନେଇ ଭୟଭୀତ ନ ହେବାକୁ କର୍ତୃପକ୍ଷ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ନିମ୍ନାଂଚଳରେ ବସବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ଏବଂ ଅନାବଶ୍ୟକ ଭାବେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସମ୍ଭାବ୍ୟ ବର୍ଷାଜନିତ ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସରକାରୀ ବିଭାଗକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ