ବିଜୁ ଏକ୍ସପ୍ରେସୱେରେ ଚଳନ୍ତା ହାଇୱାରେ ଭୟାବହ ଅଗ୍ନିକାଣ୍ଡ; ଚାଳକ ଓ ହେଲପରଙ୍କ ତତ୍ପରତାରେ ଟଳିଲା ବଡ଼ ଅଘଟଣ
Fire-breaks-out-in-truck
Fire in truck


ଝାରସୁଗୁଡ଼ା, ୨୮ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ବିମାନବନ୍ଦର ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେର ଅମଲିପାଲି ନିକଟରେ ମଙ୍ଗଳବାର ସକାଳେ ଏକ ଚଳନ୍ତା ହାଇୱା ଟ୍ରକରେ ହଠାତ୍ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ଘଟିଛି। ତେବେ ଚାଳକ ଓ ହେଲପରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି।

ସୂଚନା ଅନୁଯାୟୀ, ସମ୍ବଲପୁର ପଟରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ହାଇୱା ଟ୍ରକରେ ହଠାତ୍ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଗାଡ଼ିରୁ ଧୂଆଁ ବାହାରୁଥିବା ଦେଖି ଚାଳକ ତୁରନ୍ତ ଗାଡ଼ିକୁ ରାସ୍ତା କଡ଼ରେ ଅଟକାଇ ହେଲପରଙ୍କ ସହ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଫଳରେ ଉଭୟ ଏକ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଥିଲେ। କିଛି ସମୟ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ହାଇୱାକୁ କବଳିତ କରିଦେଇଥିଲା। ଘଟଣା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ହାଇୱାଟିର ବହୁ ଅଂଶ ଜଳିଯାଇ ବ୍ୟାପକ କ୍ଷତି ହୋଇଥିଲା।

ଏ ସମ୍ପର୍କରେ ବିମାନବନ୍ଦର ଥାନା ଆଇଆଇସି ପ୍ରଶାନ୍ତ ସେଠୀ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଘଟଣାରେ କୌଣସି ଧନଜୀବନ ହାନି ହୋଇନଥିବା ବେଳେ ଏ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ସେ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande