
ବଲାଙ୍ଗୀର, ୨୮ ଜୁଲାଇ(ହି.ସ.) – ଆଧୁନିକ ଜ୍ଞାନକୌଶଳକୁ ମାନବ ସମାଜ ଆପଣେଇ ନେବା ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ତା ଉପରେ ଅତ୍ୟଧିକ ନିର୍ଭରଶୀଳତା କ୍ଷତିକାରକ ହୋଇପାରେ। କୃତ୍ରିମ ବୁଦ୍ଧିମତାକୁ ଆମେ ଆମର ସହଯୋଗୀ ଭାବରେ ବ୍ୟବହାର କରିପାରିବା, କିନ୍ତୁ ଏହାକୁ ଆମେ ଆମର ଶିକ୍ଷାଗୁରୁ ଭାବରେ ଗ୍ରହଣ କରିନେଲେ ପଥଭ୍ରଷ୍ଟ ହେବାର ଆଶଙ୍କା ରହିଛି। ସ୍ଥାନୀୟ ସାମ୍ବାଦିକ ଭବନ ସଭାକକ୍ଷରେ ସାହିତ୍ୟ-ସମାଜ-ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟରତ ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ତରଫରୁ ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବି, ଗାଳ୍ପିକ ଓ ଚିତ୍ରଶିଳ୍ପୀ ଗଗନ ସ୍ୱାଇଁ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଏଭଳି ମତ ପ୍ରକାଶ ପାଇଛି। ଏଥିରେ ଅତିଥି ବକ୍ତା ଭାବରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ବିଭୂତି ଭୂଷଣ ମଲିକ ଯୋଗଦେଇ “କୃତ୍ରିମ ବୁଦ୍ଧିମତାର ଯୁଗରେ ମାନବୀୟ ମୂଲ୍ୟବୋଧ” ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସାମ୍ପ୍ରତିକ ସମୟରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ଉପଯୋଗୀ ହୋଇପାରିଛି। କିନ୍ତୁ ଆମର ଦୈନନ୍ଦିନ ଜୀବନରେ ଏହାର ନକାରାତ୍ମକ ଦିଗ ପ୍ରତି ଦୃଷ୍ଟି ନଦେଲେ ମାନବୀୟ ମୂଲ୍ୟବୋଧର ଅବକ୍ଷୟ ହେବା ସହିତ ସମାଜ ଉପରେ ଏହାର କୁପ୍ରଭାବ କେତେ ଭୟଙ୍କର ହୋଇପାରେ ସେ ବିଭିନ୍ନ ଉଦାହରଣ ଦେଇ ବୁଝାଇଥିଲେ। ତେଣୁ ଡିଜିଟାଲ ସାକ୍ଷରତା ଓ ସଚେତନତାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ। ଆରମ୍ଭରେ ‘ରଚନା’ର ସମ୍ପାଦକ ଭାଗୀରଥି ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ଗଗନ ସ୍ୱାଇଁଙ୍କ ସୃଜନ ସଂଭାର ସମ୍ପର୍କରେ ସୂଚନା ଦେଇଥିଲେ। ପରେ କବି ଆନନ୍ଦ ଚନ୍ଦ୍ର ସାହୁ, ସସ୍ମିତା ନେପାକ, ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଓ ଅଧ୍ୟାପକ ଡ଼. ଲକ୍ଷ୍ମଣ ମେହେର ଗଗନ ସ୍ୱାଇଁଙ୍କ କୃତିରୁ କିଛି ପଢି ଶୁଣାଇଥିଲେ। ‘ରଚନା’ର ସଦସ୍ୟା ଝରଣା ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ସହସମ୍ପାଦକ ରତ୍ନମୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏଥିରେ ସହରର ଅନେକ ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ ଓ ସାହିତ୍ୟିକ ଯୋଗଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ