
ଜୟପୁର, ୨୮ ଜୁଲାଇ (ହି.ସ.)- କୋରାପଟ ଜିଲା ଜୟପୁର ସହର ପ୍ରସାଦରାଓ ପେଟ୍ଟାର ଗଣେଷ ପୁଜା ମଣ୍ଡପରେ ଆମିଷ ହୋଟେଲ ଖୋଲିବା ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ ଆଜି ଏହାକୁ ସିଲ୍ କରାଯାଇଛି । ଜୟପୁର ଉପ ଜିଲାପାଳ ଯଦୁମଣି ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜୟପୁର ତହସିଲଦାର ସବ୍ୟସାଚି ଜେନା ପହଞ୍ଚି ପୁଜା ମଣ୍ଡପକୁ ସିଲ୍ କରିଛନ୍ତି । ତହସିଲଦାରଙ୍କ ସୂଚନା ଅନୁଯାଇ ପ୍ରସାଦରାଓ ପେଟ୍ଟାରେ ସରକାରୀ ଜମିରେ ଗୋଷ୍ଠି କେନ୍ଦ୍ର ନିର୍ମାଣ ହୋଇଥିଲା। ଏହି ଗୋଷ୍ଠି କେନ୍ଦ୍ରରେ ଗଣେଷଙ୍କ ପୁଜା ହୋଇଥିଲା । ପରବର୍ତୀ ସମୟରେ ଏହି ମଣ୍ଡପରେ ଆମିଷ ହୋଟେଲ ଖୋଲିଥିଲା । ଏହାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ବିବାଦ ଦେଖାଯାଇଥିଲା । ଏହି ବିବାଦ ଥାନାରେ ପହଞ୍ଚି ଥିଲା । ଏମିତିକି ଗୋଷ୍ଠି ଉପ ଜିଲାପାଳଙ୍କ କାର୍ଯ୍ୟ।ଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାଇ ଉକ୍ତ ମଣ୍ଡପକୁ ସିଲ୍ କରିବାକୁ ଉପ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସିଲ୍ କରିବା ସମୟରେ ପ୍ରଶାସନର ଉପସ୍ଥିତିରେ ଦୁଇ ଗୋଷ୍ଠି ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଦୁଇ ଗୋଷ୍ଠିକୁ ବୁଝାସୁଝା କରି ପରିସ୍ତିତିକୁ ନିୟନ୍ତ୍ରଣକୁ ଆଣିଥିଲା ।
ସିଲ୍ ସମୟରେ ତହସିଲଦାରଙ୍କ ସହ ରାଜସ୍ୱ ସୁପରଭାଇଜର ହରିହର ଶତପଥି, ଟାଉନ ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି