ରାଜ୍ୟ ରାଜପଥରେ ବେଆଇନ ଭାରୀଯାନ ପାର୍କିଂ; ଦୁର୍ଘଟଣା ଆଶଙ୍କା ବଢ଼ାଉଛି, କଡ଼ା ପଦକ୍ଷେପ ଦାବି
Illegal parking in sh 20 road side
Illegal parking


ଝାରସୁଗୁଡ଼ା, ୨୮ ଜୁଲାଇ (ହି.ସ.)- ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସୱେ ସଂଲଗ୍ନ ପ୍ରସନ୍ନ ପଣ୍ଡା ଛକରୁ ଖେରୁଆଲ ପର୍ଯ୍ୟନ୍ତ ରାଜ୍ୟ ରାଜପଥ–୧୦ରେ ବେଆଇନ ଭାବେ ଭାରୀଯାନ ପାର୍କିଂ ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଗୁରୁତର ସମସ୍ୟା ପାଲଟିଛି। ରାସ୍ତାର ଉଭୟ ପାର୍ଶ୍ୱରେ ହାଇୱା, ଟ୍ରକ୍ ଓ ଅନ୍ୟାନ୍ୟ ଭାରୀଯାନ ଦୀର୍ଘ ସମୟ ଧରି ବେଆଇନ ଭାବେ ପାର୍କିଂ କରାଯାଉଥିବାରୁ ପ୍ରତିଦିନ ଯାତାୟାତ ବ୍ୟବସ୍ଥା ବ୍ୟାହତ ହେଉଛି।

ଏହି ବେଆଇନ ପାର୍କିଂ ଯୋଗୁଁ ବିଶେଷକରି ଚାରିଚକିଆ ଯାନ ଓ ଦୁଇଚକିଆ ଯାନଚାଳକମାନେ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ସଙ୍କୁଚିତ ହୋଇଯାଉଥିବାରୁ ପ୍ରତିମୁହୂର୍ତ୍ତରେ ସଡ଼କ ଦୁର୍ଘଟଣାର ଆଶଙ୍କା ଲାଗି ରହିଛି। ଏହାସହ ରାସ୍ତାରେ ବୁଲୁଥିବା ଗୋରୁଗାଈମାନେ ମଧ୍ୟ ଏହି ଭାରୀଯାନ ଯୋଗୁଁ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଥିବା ନେଇ ସ୍ଥାନୀୟ ଲୋକେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।

ବଡ଼ମାଳ ଅଞ୍ଚଳର ସଂକୀର୍ତ୍ତନ ପ୍ରଧାନ, ଟୁନା ସାହୁ ଓ ପବିତ୍ର ଦଣ୍ଡସେନା ପ୍ରମୁଖ ଏହି ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ବେଆଇନ ଭାବେ ରାସ୍ତା ଉପରେ ଭାରୀଯାନ ପାର୍କିଂ କରୁଥିବା ଚାଳକଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଓ ପୁଲିସ ତୁରନ୍ତ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।

ଅନ୍ୟପକ୍ଷରେ, ଏହି ପ୍ରସଙ୍ଗରେ ଜିଲ୍ଲା ପରିବହନ ଅଧିକାରୀ ପ୍ରମୟ କୁମାର ମିଶ୍ର କହିଛନ୍ତି ଯେ, ସମସ୍ୟା ଉପରେ ପରିବହନ ବିଭାଗର ସମ୍ପୂର୍ଣ୍ଣ ନଜର ରହିଛି। ନିୟମ ଉଲ୍ଲଂଘନ କରି ବେଆଇନ ପାର୍କିଂ କରୁଥିବା ଭାରୀଯାନଗୁଡ଼ିକ ବିରୋଧରେ ନିୟମିତ ଭାବେ ଚାଲାଣ କଟାଯାଉଛି। ଆଗାମୀ ଦିନରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରାଯିବ ଏବଂ ବେଆଇନ ପାର୍କିଂ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande