
ଝାରସୁଗୁଡ଼ା, ୨୮ ଜୁଲାଇ (ହି.ସ.)- ସାରା ଦେଶରେ ଗୋମାତାଙ୍କ ସୁରକ୍ଷା, ସଂରକ୍ଷଣ ଏବଂ ଜାତୀୟ ସମ୍ମାନ ପ୍ରଦାନ ନିମନ୍ତେ କେନ୍ଦ୍ରୀୟ ଆଇନ ପ୍ରଣୟନ ଦାବିରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ ପକ୍ଷରୁ ସୋମବାର ଝାରସୁଗୁଡ଼ା ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ୨୦୨୬ ଏପ୍ରିଲରେ ଦେଶର ୫,୧୦୦ରୁ ଊର୍ଦ୍ଧ ତହସିଲରୁ ୫.୨୫ କୋଟିରୁ ଅଧିକ ନାଗରିକଙ୍କ ସ୍ବାକ୍ଷର ସମ୍ବଳିତ ଦାବିପତ୍ର ସରକାରଙ୍କୁ ପ୍ରଦାନକରାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏହି ସମ୍ବେଦନଶୀଳ ବିଷୟରେ ସରକାରଙ୍କ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ତେଣୁ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିବା ପାଇଁ ଅଭିଯାନ ପକ୍ଷରୁ ଦାବିପତ୍ର ଜରିଆରେ ପୁନର୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ଗୋ-ସେବା, ସୁରକ୍ଷା ଏବଂ ସମ୍ପୂର୍ଣ ସଂରକ୍ଷଣ ନିଶ୍ଚିତ କରିବା ପାଇଁ ଏକ ସ୍ବତନ୍ତ୍ର ଗୋ-ପାଳନ ମନ୍ତ୍ରଣାଳୟ ଗଠନ କରାଯାଉ। ଦେଶସାରା ଗୋମାତାଙ୍କୁ ଜାତୀୟ ସମ୍ମାନ ଏବଂ ଆଇନଗତ ସୁରକ୍ଷା ଦେବା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ପରିବେଶ ସୁରକ୍ଷା ଓ କାଗଜର ସଦୁପଯୋଗକୁ ଦୃଷ୍ଟିରେ ରଖି ସାରାଦେଶରୁ ସଂଗୃହୀତ ସ୍ବାକ୍ଷରର ଡିଜିଟାଲ କପି ବା ପେନ୍ଡ୍ରାଇଭମାଧ୍ୟମରେ ଦାଖଲ କରାଯାଇଛି, ଯେଉଁଥିରେ ପ୍ରାୟ ୩୧ ଲକ୍ଷରୁ ଅଧିକ ସ୍ବାକ୍ଷର ରହିଛି। ଗୋଭକ୍ତ, ସାଧୁସନ୍ଥ ଓ ଆଗ୍ରହୀ ନାଗରିକଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଜରିଆରେ ଗୋସଂରକ୍ଷଣ ପାଇଁ ତୁରନ୍ତ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ଦାବିପତ୍ରରେ ଅନୁରୋଧ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ