
କେନ୍ଦ୍ରାପଡ଼ା, ୨୮ ଜୁଲାଇ(ହି.ସ.) – ମାର୍ଶାଘାଇ, ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାର୍ଶାଘାଇ ବ୍ଲକର କରିଲୋପାଟଣା ପଂଚାୟତ ଅଧୀନ ହନ୍ତପଡ଼ା ଗ୍ରାମର ବିଶିଷ୍ଟ ପରୋପକାରୀ ତଥା ସମାଜସେବୀ ରଞ୍ଜନ ଦାସଙ୍କର କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସମୟରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ରଞ୍ଜନ ଦାସ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ସକ୍ରିୟ ଭାବେ ଜଡ଼ିତ ଥିଲେ। ସମାଜସେବା ଓ ପରୋପକାରୀ କାର୍ଯ୍ୟ ପାଇଁ ସେ ଅଂଚଳବାସୀଙ୍କ ମଧ୍ୟରେ ବେଶ ପରିଚିତ ଥିଲେ। ସେ କରିଲୋପାଟଣା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ର ଥିବାବେଳେ ତାଙ୍କ ଅକାଳ ବିୟୋଗରେ ବିଦ୍ୟାଳୟର ଆଲୁମନି ଛାତ୍ର ସଂଗଠନ ଗଭୀର ଶୋକ ପ୍ରକାଶ କରିଛି। ରଞ୍ଜନ ଦାସଙ୍କ ଅସମୟରେ ପରଲୋକରେ ସ୍ଥାନୀୟ ଜନସାଧାରଣ, ଆଲୁମନି ସଂଗଠନର ସଦସ୍ୟ ଏବଂ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତାମାନେ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସେମାନେ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ପ୍ରାର୍ଥନା କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରବି