ଫୁଲବାଣୀ ମେଡିକାଲ କଲେଜକୁ ଚକରା ବିଷୋୟୀଙ୍କ ନାମରେ ନାମକରଣ କରାଯାଉ - ବାମପନ୍ଥୀ ଦଳ
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ) ଲିବରେଶନ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଳକ ପକ୍ଷରୁ ଫୁଲବାଣୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନା
ଫୁଲବାଣୀ ମେଡିକାଲ କଲେଜକୁ ଚକରା ବିଷୋୟୀଙ୍କ ନାମରେ ନାମକରଣ କରାଯାଉ - ବାମପନ୍ଥୀ ଦଳ


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ-ଲେନିନବାଦୀ) ଲିବରେଶନ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଳକ ପକ୍ଷରୁ ଫୁଲବାଣୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମକରଣ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତାବକୁ ଦୃଢ଼ ଭାବେ ବିରୋଧ କରାଯାଇଛି। ଏକ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ହେଉଛି ସମସ୍ତ ଧର୍ମ, ଜାତି, ସମ୍ପ୍ରଦାୟ ଓ ବର୍ଗର ଲୋକଙ୍କ ପାଇଁ ସମାନ ଭାବରେ ଉତ୍ସର୍ଗୀକୃତ ଏକ ଜନସେବା ପ୍ରତିଷ୍ଠାନ। ଏହାର ନାମକରଣ ଏପରି ଜଣେ ବ୍ୟକ୍ତିଙ୍କ ନାମରେ ହେବା ଉଚିତ, ଯିଏ ସମଗ୍ର ସମାଜର ସର୍ବସମ୍ମତ ସମ୍ମାନର ଅଧିକାରୀ ଓ ଯାହାଙ୍କ ଜୀବନ, ମାନବତା, ସାମାଜିକ ସମ୍ପ୍ରତି ଓ ଜନକଲ୍ୟାଣର ଆଦର୍ଶକୁ ପ୍ରତିଫଳିତ କରେ । ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ କାର୍ଯ୍ୟକଳାପକୁ ନେଇ ବର୍ଷ ବର୍ଷ ଧରି ଗଭୀର ସାମାଜିକ ଓ ରାଜନୈତିକ ବିବାଦ ରହିଆସିଛି। କନ୍ଧମାଳରେ ଧାର୍ମିକ ଧ୍ରୁବୀକରଣ, ସାମ୍ପ୍ରଦାୟିକ ଉତେଜନା ଏବଂ ସାମାଜିକ ବିଭାଜନ ଭଳି ବିବାଦ ସହିତ ସେ ସମ୍ପୃକ୍ତ ବୋଲି ଜନ ମାନସରେ ଅଭିଯୋଗ ରହିଛି । ଏପରି ଜଣେ ବିବାଦୀୟ ବ୍ୟକ୍ତିଙ୍କ ନାମରେ ଏକ ସରକାରୀ ମେଡିକାଲ କଲେଜର ନାମକରଣ କରିବା ଧର୍ମନିରପେକ୍ଷ ଓ ସାମ୍ବିଧାନିକ ମୂଲ୍ୟବୋଧର ପରିପନ୍ଥୀ। ଏହା ସହିତ ଲକ୍ଷ୍ମଣାନନ୍ଦଙ୍କ ଆଶ୍ରମ, ବିଦ୍ୟାଳୟ ଓ କନ୍ୟାଶ୍ରମ ପାଇଁ ସରକାରଙ୍କ ଦ୍ୱାରା ୧୩ କୋଟି ଟଙ୍କା ଅନୁଦାନ ମଞ୍ଜୁର କରାଯିବା ମଧ୍ୟ ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଫୁଲବାଣୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ମହାନ୍ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀଙ୍କ ନାମରେ ନାମିତ କରିବା ପାଇଁ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍-ଏଲ) ଲିବରେସନ ଓ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଦାବି କରାଯାଇଛି। ଚକରା ବିଷୋୟୀ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ଶ୍ରେଷ୍ଠ ବୀର। ଘୁମୁସର-କନ୍ଧମାଳ ଅଞ୍ଚଳର କନ୍ଧ ଆଦିବାସୀଙ୍କୁ ସଂଗଠିତ କରି ସେ ବ୍ରିଟିଶ ଔପନିବେଶିକ ଶାସନ ବିରୋଧରେ ଦୀର୍ଘଦିନ ଧରି ସଶସ୍ତ୍ର ବାହିନୀ ସଂଗ୍ରାମର ନେତୃତ୍ୱ ନେଇଥିଲେ । ନିଜ ଜମି, ଜଙ୍ଗଲ, ଜଳ, ସଂସ୍କୃତି ଓ ସ୍ୱାଭିମାନର ସୁରକ୍ଷା ପାଇଁ ସେ ଜୀବନକୁ ବାଜି ଲଗାଇଥିଲେ। ତାଙ୍କ ସଂଘର୍ଷ କେବଳ ଆଦିବାସୀ ସମାଜର ନୁହେଁ, ବରଂ ସମଗ୍ର ଓଡ଼ିଶାର ଗୌରବମୟ ଅଧ୍ୟାୟ । ଫୁଲବାଣୀ ସମଗ୍ର କନ୍ଧମାଳ ଅଞ୍ଚଳ ସହ ଚକରା ବିଷୋୟୀଙ୍କ ଐତିହାସିକ ସମ୍ପର୍କ ରହିଛି । ତାଙ୍କ ନାମରେ ମେଡିକାଲ କଲେଜର ନାମକରଣ କରାଗଲେ ଏହା କେବଳ ଜଣେ ବୀର ସ୍ୱାଧୀନତା ସଂଗ୍ରାମୀକୁ ଯେ ପ୍ରକୃତ ସମ୍ମାନ ଜଣାଇବା ହେବ ତାହା ନୁହେଁ, ବରଂ ଆଦିବାସୀ ସମାଜର ଆତ୍ମସମ୍ମାନ, ଇତିହାସ ଓ ଅବଦାନକୁ ଯଥାର୍ଥ ସ୍ୱୀକୃତି ପ୍ରଦାନ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande