
ପୁରୀ, ୨୮ ଜୁଲାଇ (ହି.ସ.)- ନୀଳାଦ୍ରିନାଥ ରଥାଯାତ୍ରା ଲୀଳାଖେଳା ସାରି ସୋମବାର ରାତିରେ ନୀଳକନ୍ଦରକୁ ଯାଇ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ଶ୍ରୀମନ୍ଦିରରେ ପୁଣି ଲାଗିଛି ଗହଳିଚହଳି । ୧୨ ଦିନଧରି ରୋଷଘରେ ଅବଢା ପ୍ରସ୍ତୁତି ହୋଇନଥିଲା । ମଙ୍ଗଳବାର ମହାପ୍ରସାଦ ନୀଳାଚଳ ଅବଢା ଭାବେ ଭକ୍ତ ମାନେ ପାଇଛନ୍ତି । ଅପରାହ୍ନ ୨ଟା ୫୦ରେ ରୋଷହୋମ, ୩ଟାରେ ବେଶ ଶେଷ, ୩ଟା୨୫ରେ ସ୍ବର୍ଯ୍ଯପୂଜା, ୩ଟା ୪୫ରେ ଦ୍ବାରପାଳ ପୂଜା, ୪ଟାରେ ଗୋପାଳବଲ୍ଲଭ ପୂଜା, ୪ଟା ୪୦ରେ ସକାଳଧୂପ ଡାକିଗଲେ, ୪ଟା ୫୫ରେ ସକାଳ ଧୂପ ଛେକ ଓ ଭୋଗ ମଣ୍ଡପ ଉଠିଥିଲା । ୫ଟାରେ ସକାଳଧୂପ ପୂଜା ଓ ୫ଟା ୩୫ରେ ସକାଳଧୂପ ଟେରା ବନ୍ଧା ହୋଇଥିଲା । ଭକ୍ତ ପାଇଲେ ନୀଳାଚଳ ଅଭଢା । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଦାରୁବ୍ରହ୍ମଙ୍କ ଦର୍ଶନ କରିଛନ୍ତି । ମଙ୍ଗଳବାର ଭକ୍ତମାନେ ନୀଳାଚଳ ଅବଢା ପାଇଛନ୍ତି ।
ସୋମବାର ନୀଳାଦ୍ରି ବିଜେ ପରେ ପ୍ରଥମ ଅବଢା ବାହାରିଛି । ଶ୍ରୀମନ୍ଦିର ରୋଷଘର ବାର ଦିନ ଖାଲି ପଡିବା ପରେ ଚୁଲି ଗୁଡିକ ଶୁଦ୍ଧପୁତ ଭାବେ ନିର୍ମାଣ କରାଯାଇ ସୁପକାର ମାନେ ମହାପ୍ରସାଦ ପ୍ରସ୍ତୁତି କରିଥିଲେ । ଆଜି ଠାରୁ ଷାଠିଏ ପଉଟି ଭୋଗ ପ୍ରସ୍ତୁତି ଆରମ୍ଭ ହୋଇଛି । ଭକ୍ତ ମାନେ ଶ୍ରୀମନ୍ଦିର ଯାଇ ରତ୍ନବେଦିରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିଛନ୍ତି । ସାଧାଅନ୍ନ, ମିଠାଅନ୍ନ, ଘିଅଅନ୍ନ, ଖେଚୁଡି କାନିକା, ସାଧାଡାଲି, ମିଠାଡାଲି, ଡାଲେମା, ମସଲା ଡାଲେମା, ବେସର, ମହୁର, କଦଳୀ, ଶାଗ ଭଜା, ପୋଟଳ ତରକାରୀ, ଫାଳସୋଲା ତରକାରୀ, ଗଜାମୁଗ ତରକାରୀ, ସନ୍ତୁଳା, ଜହ୍ନି ରାଇତା ଆଦି ମହାପ୍ରସାଦ ସେବନ କରି ଭକ୍ତ ତୃପ୍ତ । ପ୍ରଥମ ଅବଢା ପାଇବା ପାଇଁ ଶ୍ରୀକ୍ଷେତ୍ର ବାସୀଙ୍କ ନାହିଁ ନଥିବା ଭିଡ ଲାଗିଥିବା ପରିଲିକ୍ଷିତ ହୋଇଛି । ମହାପ୍ରସାଦ ବାହକକାରୀ ମାନେ ବେତାରେ ନୀଳାଚଳ ଅବଢା ଧରି ଉତ୍ତର ଦ୍ବାର ଦକ୍ଷିଣ ଦ୍ୱାର ଦେଇ ବାହାରୁଥିବା ଦେଖିବାକୁ ମିଳିଥିଲା । ଅବଢା ନେବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ଅବଢା ସେବନ କରି ଆତ୍ମତୃପ୍ତି ପାଇଛନ୍ତି ଭକ୍ତ । ଭକ୍ତମାନେ ଘରକୁ ଅବଢା ନେଉଥିବା ଦେଖିବାକୁ ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ