



ସମ୍ବଲପୁର, ୨୮, ଜୁଲାଇ (ହି.ସ.) ପୁଅର ଟାଙ୍ଗିଆ ମାଡରେ ଗୁରୁତର ହୋଇ ପଡିଥିବା ବାପା ଚିକିତ୍ସା ପାଇଁ ଯାଉଥିବା ବେଳେ ବାଟରେ ମୃତ୍ୟୁବରଣ କରିଛି । ଅପରପକ୍ଷେ ବାପାଙ୍କୁ ବଡ଼ଭାଇ ଟାଙ୍ଗିଆରେ ଆକ୍ରମଣ କରୁଥିବା ବେଳେ ବଂଚାଇବାକୁ ଯାଇ ସାନଭାଇ ମଧ୍ୟ ଆହତ ହୋଇ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାପଡିଛି । ଏଭଳି ଏକ ନାରକୀୟ ସ୍ପର୍ଶକାତର ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ମନାପାଲି ଗାଁରେ ଘଟିଛି । ଯାହାକି ଘରୋଇ କଳହର କରୁଣ ପରିଣତି ସ୍ୱରୂପ ହତ୍ୟାକାରୀ ପୁଅକୁ କୁଚିଣ୍ଡା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ ସୋମବାର ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ୬୫ ବର୍ଷିୟ ବାପ ଧନେଶ୍ୱର ଭୋଇଙ୍କ ସହ ମନାପାଲି ସ୍କୁଲରେ ଶିକ୍ଷକତା କରୁଥିବା ତାଙ୍କର ୪୫ ବର୍ଷିୟ ପୁଅ ଗୋବିନ୍ଦ ଭୋଇଙ୍କ ସହ ବଚସା ହୋଇଥିଲା। ହେଲେ କଳହର ସମାଧାନ ହେବା ପରିବର୍ତେ କ୍ରମଶଃ ଉଗ୍ରରୂପ ନେଇଥିଲା । ସୂଚନାଯୋଗ୍ୟ ଶିକ୍ଷକତା ପେଷାରୁ କୌଣସି କାରଣରୁ ନିଳମ୍ବିତ ହୋଇଥିବା ଗୋବିନ୍ଦ କିଛି ଦିନ ଧରି ମାନସିକ ଦୁଶ୍ଚିନ୍ତାରେ ରହୁଥିଲା । କଳହ ଉଗ୍ରରୂପ ନେବା ଫଳରେ ନିଜର ହିତାହିତ ଜ୍ଞାନ ହରାଇ ନିକଟରେ ଥିବା ଏକ ଟାଙ୍ଗିଆରେ ବାପା ଧନେଶ୍ୱରଙ୍କୁ ଆକ୍ରମଣ କରିଥିଲା । ବାପାଙ୍କ ପ୍ରତି ବଡ଼ ଭାଇର ଏଭଳି ଆକ୍ରମଣ କରିବା ଦେଖି ସାନଭାଇ ବାପାଙ୍କୁ ବଂଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସିଏ ବି ଗୋବିନ୍ଦଙ୍କ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇବା ମାତ୍ରେ କୁଚିଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ଧନେଶ୍ୱରଙ୍କୁ ଉଦ୍ଧାର କରି ତୁରନ୍ତ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲା। ମାତ୍ର ଅବସ୍ଥା ଉଦବେଗଜନକ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବୁର୍ଲା ପଠାଇଥିଲେ । ମାତ୍ର ଲଇଡା ଠାରେ ଧନେଶ୍ୱରଙ୍କର ମୃତ୍ୟୁ ଘଟିଥିବା ଜଣାପଡିବା ପରେ ପୋଲିସ ଲଇଡା ଡାକ୍ତରଖାନାରେ ଧନେଶ୍ୱରଙ୍କ ମୃତ ଦେହକୁ ବ୍୍ୟବଛେଦ ପାଇଁ ରଖି ଅଭିଯୁକ୍ତ ଗୋବିନ୍ଦକୁ ଥାନାକୁ ଆଣିଥିଲେ । ଏହି ଘଟଣା ସମ୍ପର୍କରେ କୁଚିଣ୍ଡା ଥାନା ପୋଲିସ ୧୬୦/୨୬ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଗୋବିନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ