
ଜୟପୁର, ୨୮ ଜୁଲାଇ (ହି.ସ.) - ଜୟପୁର ରଥଯାତ୍ରା ପରିଚାଳନା ନେଇ ଏସଓପି ଲାଗୁ କରିବା ପାଇଁ ଦାବି ହୋଇଛି । ଚଳିତ ବର୍ଷ ରଥଯାତ୍ରାକୁ ପରିଚାଳନା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଆଡଭୋକେଟ ଅନୁପ କୁମାର ପାତ୍ର । ଆଇନଜୀବୀ, ମାନବାଧିକାର ରକ୍ଷାକର୍ତା ଏବଂ ସୂଚନା ଅଧିକାର କର୍ମୀ ଆଡଭୋକେଟ ଅନୁପ କୁମାର ପାତ୍ର ଐତିହାସିକ ଜୟପୁର ରଥଯାତ୍ରା ଏବଂ ବାହୁଡା ଯାତ୍ରା ସମୟରେ ଘୋର ପ୍ରଶାସନିକ ବିଫଳତା, ପୂଜାପାଠରେ ବାଧା ଏବଂ ଲଜିଷ୍ଟିକ୍ ତ୍ରୁଟି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଉକ୍ତ ସ୍ମାରକ ପତ୍ର ରେ ଉଲ୍ଲେଖ କରାଯାଇଛି ଯେ ପ୍ରଶାସନିକ ତ୍ରୁଟି: ଗଛ ଏବଂ ବିଦ୍ୟୁତ୍ ଖୁଂଟ ସହିତ ରଥ ଧକ୍କା, କ୍ରେନ୍ ବ୍ୟବହାର କରି ରାତିରେ ଟାଣିବା ଏବଂ ଅତ୍ୟଧିକ ବିଳମ୍ବ ସୁନା ବେଶ ଭଳି ପବିତ୍ର ପୂଜାପାଠର ଅଭୂତପୂର୍ବ ବାଧା ଦେଇଥିଲା । ଦେବୋତର ବିଭାଗ ଦ୍ୱାରା ପ୍ରଶାସନିକ ତ୍ରୁଟିକୁ ପାଇଁ ପାରମ୍ପରିକ ବଂଶାନୁକ୍ରମିକ ସେବାୟତ ଜ୍ୟୋତି ରଞ୍ଜନ ପୂଜାରୀ ଏବଂ ବାବୁଲି ପୂଜାରୀଙ୍କ ଉପରେ ବିନା ପ୍ରକ୍ରିୟାରେ ୫ ବର୍ଷର ପ୍ରତିବନ୍ଧକକୁ ନିନ୍ଦା କରାଯାଇଛି। ସରକାରୀ ଅବହେଳାର ଉଚ୍ଚସ୍ତରୀୟ ତଦନ୍ତ, ନିଷେଧ ଆଦେଶକୁ ତୁରନ୍ତ ପ୍ରତ୍ୟାହାର, ଦାୟୀ କର୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ଭବିଷ୍ୟତର ରଥଯାତ୍ରା ପାଇଁ ଏକ ସ୍ଥାୟୀ ଏସଓପି ଲାଗୁ କରିବାକୁ ଦାବି କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି