ଲଗାଣ ବର୍ଷାରେ ସମାସିଂହାରେ ବିରାଟ ପିପ୍ପଳ ଗଛ ଉପୁଡ଼ିଲା, ୪ ଘଣ୍ଟା ବନ୍ଦ ରହିଲା ସମ୍ବଲପୁର–ଲଇକେରା ମୁଖ୍ୟ ରାସ୍ତା
Road block due to tree falling
Tree falling


ଝାରସୁଗୁଡ଼ା, ୨୮ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକରେ ସୋମବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଲଗାଣ ଓ ପ୍ରବଳ ବର୍ଷା ଜନଜୀବନକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ବର୍ଷାର ପ୍ରକୋପରେ ବିଭିନ୍ନ ସ୍ଥାନରେ ଘର କ୍ଷତିଗ୍ରସ୍ତ ହେବା ସହ ଅନେକ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଥିବା ସୂଚନା ମିଳିଛି। ମଙ୍ଗଳବାର ଭୋର ସମୟରେ ସମାସିଂହା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ବିରାଟ ପିପ୍ପଳ ଗଛ ଉପୁଡ଼ି ପଡ଼ି ସମ୍ବଲପୁର–ଲଇକେରା ମୁଖ୍ୟ ସଡ଼କକୁ ସମ୍ପୂର୍ଣ୍ଣ ଅବରୋଧ କରିଥିଲା। ଗଛଟି ନିକଟସ୍ଥ ଏକ ଘର ଉପରେ ମଧ୍ୟ ପଡ଼ିଥିଲା। ଫଳରେ ପ୍ରାୟ ଚାରି ଘଣ୍ଟା ଧରି ଏହି ରାସ୍ତାରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ ରହିଥିଲା ଏବଂ ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଲାଗିଥିଲା। ଗଛ ପଡ଼ିବା ଯୋଗୁଁ ବିଦ୍ୟୁତ୍ ତାର କ୍ଷତିଗ୍ରସ୍ତ ହୋଇ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ ଦେଖାଦେଇଥିଲା। ଖବର ପାଇ କୋଲାବିରା ବନ ବିଭାଗ, ଦମକଳ ବାହିନୀ, ବିଦ୍ୟୁତ୍ ବିଭାଗର କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବେ ଗଛକୁ କାଟି ରାସ୍ତାରୁ ହଟାଇଥିଲେ। ଏହାପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜନହାନି କିମ୍ବା ଆହତ ହେବାର ସୂଚନା ମିଳିନାହିଁ। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ଅଞ୍ଚଳରେ ବର୍ଷା ଜାରି ରହିଥିଲା।

ଅନ୍ୟପକ୍ଷରେ, ଲଗାଣ ବର୍ଷା ପ୍ରଭାବରେ କୋଲାବିରା ବ୍ଲକର ପ୍ରମୁଖ ଭେଡେନ ଓ ତେଲେନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ସହ ଉଭୟ ନଦୀରେ ବର୍ଷାଜଳର ପ୍ରବାହ ବଢ଼ିଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ନଦୀକୂଳବର୍ତ୍ତୀ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande