ଫୁଲବାଣୀ ଭେଷଜ ମହାବିଦ୍ୟାଳୟକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କଲେ ମୁଖ୍ୟମନ୍ତ୍ରୀ : କନ୍ଧମାଳ ସାଂସଦ ଓ ଦଳୀୟ ନେତାଙ୍କ ସ୍ବାଗତ
Phulbani Medical College named as Swami Laxnananda Medical College
ଫୋଟ ୨


ଫୋଟ


କନ୍ଧମାଳ, ୨୮ ଜୁଲାଇ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିରେ ଘୋଷଣା କରାଯାଇଥିବା ଐତିହାସିକ ନିଷ୍ପତ୍ତିକୁ ହୃଦୟର ସହ ସ୍ୱାଗତ କରିବା ସହ ତାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ।

ସାଂସଦ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତି କନ୍ଧମାଳବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଜନଜାତି ସମାଜର ଶିକ୍ଷା, ସେବା, ସଂସ୍କୃତି ଓ ସାମାଜିକ ଜାଗରଣ କ୍ଷେତ୍ରରେ ସ୍ୱାମୀଜୀଙ୍କ ଅତୁଳନୀୟ ଅବଦାନକୁ ଏହା ଏକ ଉଚିତ ସମ୍ମାନ। ସେହିପରି ଜଲେଶପଟ୍ଟା ଆଶ୍ରମର ଐତିହ୍ୟ ସଂରକ୍ଷଣ ଓ ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୧୩ କୋଟି ମଞ୍ଜୁର କରାଯାଇଥିବାରୁ ମଧ୍ୟ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅର୍ଥରେ ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ, ଆଶ୍ରମର ଐତିହ୍ୟ ସଂରକ୍ଷଣ, ମେଗା ରିଭର ଲିଫ୍ଟ ଜଳଯୋଗାଣ ପ୍ରକଳ୍ପ, ଶ୍ରେଣୀଗୃହ ଓ ହଷ୍ଟେଲର ନବୀକରଣ ସହ ବିଭିନ୍ନ ମୌଳିକ ସୁବିଧାର ବିକାଶ କରାଯିବ।

ସାଂସଦ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଏହି ପଦକ୍ଷେପ କେବଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଅମର ଐତିହ୍ୟକୁ ସଂରକ୍ଷିତ କରିବ ନାହିଁ, ବରଂ କନ୍ଧମାଳର ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା, ସୁରକ୍ଷା ଓ ସାମଗ୍ରିକ ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। କନ୍ଧମାଳ ଲୋକସଭା କ୍ଷେତ୍ରର ସମସ୍ତ ଜନସାଧାରଣଙ୍କ ପକ୍ଷରୁ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ କୃତଜ୍ଞତା ଓ ଅଶେଷ ଧନ୍ୟବାଦ ଜଣାଇବା ସହ ଏହି ଐତିହାସିକ ନିଷ୍ପତ୍ତି କନ୍ଧମାଳର ବିକାଶ ଏବଂ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ସଂରକ୍ଷଣରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମତ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande