ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ଜିଲ୍ଲାର ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ରାଜ୍ୟରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲା ଗୁଡିକରେ ଜଳସ୍ତର ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି । ବିଭାଗର କମିଶନର-ତଥା-ଶାସନ ସଚିବ ଅସ୍ୱତୀ ଏସ. ଆଜି ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରସ୍
ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ଜିଲ୍ଲାର ସ୍ୱାସ୍ଥ୍ୟ ପରିସ୍ଥିତି ସମୀକ୍ଷା କଲେ ସ୍ୱାସ୍ଥ୍ୟ ସଚିବ


ଭୁବନେଶ୍ୱର, ୨୮ ଜୁଲାଇ (ହି.ସ)- ରାଜ୍ୟରେ ଅତ୍ୟଧିକ ବର୍ଷା ପ୍ରଭାବିତ ଜିଲ୍ଲା ଗୁଡିକରେ ଜଳସ୍ତର ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ପ୍ରସ୍ତୁତି ସମୀକ୍ଷା କରାଯାଇଛି । ବିଭାଗର କମିଶନର-ତଥା-ଶାସନ ସଚିବ ଅସ୍ୱତୀ ଏସ. ଆଜି ପ୍ରଭାବିତ ଜିଲ୍ଲାଗୁଡ଼ିକର ପ୍ରସ୍ତୁତି ବ୍ୟବସ୍ଥାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି।

ସମୀକ୍ଷା ବୈଠକରେ ସଚିବ ପ୍ରଭାବିତ ଅଂଚଳରେ ଲୋକଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଜରୁରୀ ଔଷଧ, ଓଆରଏସ, ବ୍ଲିଚିଂ ପାଉଡର, ହାଲଜେନ ଟ୍ୟାବଲେଟ୍, ସାପ କାମୁଡ଼ା ପ୍ରତିଷେଧକ ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଭାବିତ ଅଂଚଳରେ ନିୟମିତ ସ୍ୱାସ୍ଥ୍ୟ ଯାଂଚ, ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପ୍ରତି ସ୍ୱତନ୍ତ୍ର ଯତ୍ନ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଆସନ୍ନ ପ୍ରସବ ମହିଳାଙ୍କୁ ଆବଶ୍ୟକ ସ୍ଥଳେ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଯୋଗାଯୋଗ ବିଛିନ୍ନ ଅଂଚଳକୁ ଆମ୍ବୁଲାନ୍ସ ସେବା ନିମନ୍ତେ ଅଗ୍ନିଶମ କର୍ମଚାରୀଙ୍କ ସହାୟତା ନେବାକୁ କହିଥିଲେ । ପ୍ରଭାବିତ ଅଂଚଳରେ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଏମବିବିଏସ ଡାକ୍ତର ମୁତୟନ, ଜେନେରେଟର ଉପଲବ୍ଧତା, ଜଳ ବନ୍ଦୀ ଡାକ୍ତରଖାନା ଗୁଡିକରେ ପମ୍ପସେଟ ଲଗାଇ ଜଳ ମୁକ୍ତ ନିମନ୍ତେ ପଦକ୍ଷେପ ପାଇଁ କହିଛନ୍ତି ।

ପାନୀୟ ଜଳର ବିଶୁଦ୍ଧତା ରକ୍ଷା, ଖାଦ୍ୟ ସୁରକ୍ଷା, ପରିମଳ ବ୍ୟବସ୍ଥା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବା ପାଇଁ ସେ ସମସ୍ତ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ କହିଥିଲେ। ସିଡିଏମ୍ ଓ ପିଏଚ୍ଓଙ୍କୁ ଜିଲ୍ଳା ମୁଖ୍ୟାଳୟ ନଛାଡିବାକୁ ନିର୍ଦେଶ ଦେଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କେଂଟ୍ରାଲ ରୁମ ସମସ୍ତ ପ୍ରଭାବିତ ଅଂଚଳ ସହ ଯୋଗାଯୋଗ ରଖି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି ।

ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ, ଓଡିଶା ରାଜ୍ୟ ଔଷଧ ନିଗମର ଅଧିକାରୀ ଏବଂ ପ୍ରଭାବିତ ଜିଲ୍ଲାର ସିଡିଏମ୍ ଓ ପିଏଚ୍ଓମାନେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande