
ଜୟପୁର, ୨୮ ଜୁଲାଇ (ହି.ସ.)-
କୃଷକ କଲ୍ୟାଣ ମଞ୍ଚ କୋରାପୁଟ ତରଫରୁ ଡିଆରସିଏସଙ୍କୁ ଆଜି ୬ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ମଞ୍ଚର ସମ୍ପାଦକ ନରେନ୍ଦ୍ର କୁମାର ପ୍ରଧାନଙ୍କ ନେତୃତ୍ଵରେ ଚାଷି ମାନେ ଏହି ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଚଳିତ ଖରିଫ ରୁତୁରେ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜିକରଣ ଲ୍ୟାମ୍ପ ପରିବର୍ତେ ଧାନ କ୍ରୟ କେନ୍ଦ୍ର କିମ୍ବା ସ୍ଥାନୀୟ ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟରେ କରାଯାଉ, ଚାଷୀ ପଞ୍ଜିକରଣ ପାଇଁ ଅନ୍ୟୁନ ଏକ ମାସ ସମୟ ଦିଆଯାଉ, ଆବଶ୍ୟକ ସ୍ଥଳେ ଅବଧି ବୃଦ୍ଧି କରାଯାଉ, ଚାଷୀଙ୍କୁ ଆବଶ୍ୟକ ମୁତାବକ ସମସ୍ତ ସାର ଚଳିତ ଅଗଷ୍ଟ ମାସ ୧୫ ତାରିଖ ସୁଦ୍ଧା ଯୋଗାଇ ଦିଆଯାଉ, ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷ କାମ ବାଧାପ୍ରାପ୍ତ ହେଉଥିବାରୁ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗୁଡିକରେ ଚାଷ କାମ ସରିବା ପର୍ଯ୍ୟନ୍ତ କେନାଲରେ ନିୟମିତ ପାଣି ଛଡାଯାଉ, ଚଳିତ ବର୍ଷ ଧାନ ଚାଷରେ ରୋଗ ପୋକର ପାଦୁର୍ଭାବ ବଢି ଯାଇଥିବାରୁ କୃଷି କର୍ମଚାରି ମାନେ ନିୟମିତ ବ୍ୟବଧାନରେ କୃଷିକ୍ଷେତ୍ର ପରିଦର୍ଶନ କରନ୍ତୁ, ବହୁଳ ଭାବେ ପ୍ରଚାର ପ୍ରସାର ନହେବାରୁ ଗତ ରବି ମଣ୍ଡିରେ ବହୁତ ଚାଷୀ ପଞ୍ଜିକରଣରୁ ବଞ୍ଜିତ ହୋଇ ଧାନ ବିକ୍ରି କରିପାରିଲେ ନାହିଁ, ଚଳିତ ଖରିଫରେ ସେଭଳି ସମସ୍ୟା ନହେବା ପାଇଁ ବହୁଳ ଭାବେ ପ୍ରଚାର ପ୍ରସାର କରାଯାଉ ।
ଏହି ଦାବି ପତ୍ରର ନକଲ ଜୟପୁର ଉପ ଜିଲାପାଳ, ଜିଲା ମୁଖ୍ୟ କୃଷି ଅଧିକାରି, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ, ଜିଲା ମୁଖ୍ୟ ଯୋଗାଣ ଅଧିକାରିଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଚାଷି କେ. ଶ୍ରୀନିବାସ ରାଓ, ତ୍ରିନାଥ ମାଳି, ଦୁର୍ଯ୍ୟଧନ ମାଳି, ଗୌରି ଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି