



ସମ୍ବଲପୁର,୨୯, ଜୁଲାଇ (ହି.ସ.) ରାଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ଏନ୍.ବି.ଏସ୍. ରାଜପୁତ ଏବଂ ଓଏସଆରଟିସିର ଅତିରିକ୍ତ ସଚିବ ସଞ୍ଜୟ କୁମାର ବିଶ୍ୱାଳ ବୁଧବାର ସମ୍ବଲପୁର ଗସ୍ତରେ ଆସି ମୋଦିପଡ଼ା ବସ୍ ଟର୍ମିନାଲ ଓ ଅଇଁଠାପାଲି ବସ୍ ଷ୍ଟାଣ୍ଡ ପରିଦର୍ଶନ କରି ପ୍ରସ୍ତାବିତ ନୂତନ ବସ୍ ଟର୍ମିନାଲ ନିର୍ମାଣ ଯୋଜନାର ସମୀକ୍ଷା କରିଛନ୍ତି।
ମୋଦିପଡ଼ାରେ ନୂତନ ବସ୍ ଟର୍ମିନାଲ ପ୍ରତିଷ୍ଠା ସହିତ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (ସିଆରୟୁଟି)ର ବସ୍ ସେବା ପରିଚାଳନା ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ଅଇଁଠାପାଲିରେ ପ୍ରାୟ ୫ ଏକର ଜମିରେ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ (ଆଇଏସବିଟି) ନିର୍ମାଣ ପ୍ରସ୍ତାବର ସମୀକ୍ଷା କରାଯାଇଥିଲା। ଏଠାରୁ ଓଏସଆରଟିସି ବସ୍ ସେବା ମଧ୍ୟ ପରିଚାଳିତ ହେବ।
ପ୍ରସ୍ତାବିତ ଟର୍ମିନାଲରେ ୪୬ଟି ବସ୍ ବେ', ଯାତ୍ରୀ ଅପେକ୍ଷାଳୟ, ବିଶ୍ରାମ ସ୍ଥାନ, ବ୍ୟବସାୟିକ କମ୍ପ୍ଲେକ୍ସ, ଇଭି ଚାର୍ଜିଂ ଷ୍ଟେସନ ସମେତ ଆଧୁନିକ ସୁବିଧା ରହିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସମ୍ବଲପୁରର ଆଞ୍ଚଳିକ ଓ ଆନ୍ତଃରାଜ୍ୟ ବସ୍ ଯୋଗାଯୋଗ ଅଧିକ ସୁଦୃଢ଼ ହେବା ସହ ଯାତ୍ରୀମାନେ ଉନ୍ନତ ପରିବହନ ସୁବିଧା ପାଇପାରିବେ।
ପରିଦର୍ଶନ ସମୟରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସଏମସି ଆୟୁକ୍ତ ରେହାନ୍ ଖତ୍ରୀ, ସଦର ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ