
ଭଦ୍ରକ, ୩୧ ଜୁଲାଇ (ହି.ସ.) - ଜନ୍ମ ପରେ ମୃତ୍ୟୁ ଯେପରି ସୃଷ୍ଟିର ନିୟମ, ଠିକ୍ ସେହିପରି ସରକାରୀ ବ୍ୟବସ୍ଥାରେ ଚାକିରୀରୁ ଅବସର ନେବା ଏକ ସ୍ୱାଭାବିକ ପ୍ରକ୍ରିୟା। ପାର୍ଥକ୍ୟ ଏତିକି ଥାଏ ମୃତ୍ୟୁର ନିର୍ଦ୍ଧାରିତ ସମୟ ନଥାଏ, କିନ୍ତୁ ଅବସର ନେବାରେ ଏକ ନିର୍ଦ୍ଧିଷ୍ଟ ସମୟସୀମା ନିର୍ଦ୍ଧାରିତ ଥାଏ। ଜନ୍ମବେଳେ ଆମ୍ଭେ କାନ୍ଦୁ, ଅନ୍ୟମାନେ ହସିଥାନ୍ତି। ସେହିପରି ଆମେ ସଂସାରରେ ଭଲ କାମ କରିଥିଲେ ମୃତ୍ୟୁ ସମୟରେ ଅନ୍ୟମାନେ କାନ୍ଦି କାନ୍ଦି ଝୁରିଥାନ୍ତି। ଚାକିରୀ କ୍ଷେତ୍ରରେ ନିଜର କ୍ଷମତା ଯୋଗୁଁ ସମସ୍ତେ ଆପଣାଇଥାଆନ୍ତି। ଚାକିରୀରୁ ଯିବା ପରେ ଯଦି କର୍ମକ୍ଷେତ୍ରରେ ସଠିକ୍ ଭାବେ ଦାୟିତ୍ୱ ତୁଲାଇ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଲେ ତେବେ କର୍ମଚାରୀ ହେଉ ବା ସାଧାରଣ ଜନତାଙ୍କ ନିକଟରେ ସେ ଚିରସ୍ମରଣୀୟ ହୋଇରହିବେ। ଏଣୁ ଚାକିରୀ ଜୀବନରେ କର୍ତବ୍ୟନିଷ୍ଠ ଓ ଦାୟିତ୍ୱବାନ୍ ହେବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନ କରିବା ପାଇଁ ଜିଲାପାଳ ଡ. ଦିଲୀପ ରାଉତରାଏ ଆଜି ତାଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନାରେ ମତପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ, ସମାଜ ମଙ୍ଗଳ ଓ ଜିଲା ଯୋଗାଣ ବିଭାଗ ପକ୍ଷରୁ ଜିଲାପାଳ ଡ. ରାଉତରାଏଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସଦ୍ଭାବନା ଗୃହରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅତିରିକ୍ତ ଜିଲାପାଳ ସରୋଜ ଦତ, ରବିନାରାୟଣ ସାହୁ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ସାଇସୁନ୍ଦର ସେଠୀ, କାଦମ୍ବିନୀ ଜେନା, ସତ୍ୟାଶ୍ରୀ ମହାପାତ୍ର, ଦେବବ୍ରତ ମହାପାତ୍ରଙ୍କ ସମେତ ଷ୍ଟାଫ କମିଟି ପକ୍ଷରୁ ଅମୂଲ୍ୟ ନାୟକ, ଅମୂଲ୍ୟ ଦାସ, ଶ୍ୟାମସୁନ୍ଦର ଜେନା, ଅତୁଲ କୁମାର ନନ୍ଦୀ, ଅର୍ଚ୍ଚନା ସେଠ, ହେମନ୍ତ ପ୍ରଧାନ, ଏଲିନା ସେନାପତି, ରବିନ୍ଦ୍ର ଦତ ପ୍ରମୁଖଙ୍କ ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ