
ନୂଆଦିଲ୍ଲୀ, ୩ ଜୁଲାଇ (ହିସ): ଦେଶର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଶୁକ୍ରବାର ଏକ ମିଳିତ ଚିଠି ଜାରି କରି ନିର୍ବାଚନ କମିଶନର କାର୍ଯ୍ୟକାରିତା, ସ୍ୱତନ୍ତ୍ର ସଘନ ସମୀକ୍ଷା ପ୍ରକ୍ରିୟା ଏବଂ କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଗୁଡ଼ିକର ଅପବ୍ୟବହାର ଉପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଇଣ୍ଡି ଆଲାଏନ୍ସର ଅନେକ ଶୀର୍ଷ ନେତାଙ୍କ ସ୍ୱାକ୍ଷରିତ ଏହି ଚିଠିରେ ନିର୍ବାଚନ ବ୍ୟବସ୍ଥାରେ ସ୍ୱଚ୍ଛତାର ଅଭାବ ଏବଂ ଗଣତନ୍ତ୍ରର ଭବିଷ୍ୟତ ବିଷୟରେ ଗମ୍ଭୀର ଚିନ୍ତା ପ୍ରକାଶ କରାଯାଇଛି। ବିରୋଧୀ ନେତାମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏସଆଇଆର ପ୍ରକ୍ରିୟା ବିଷୟରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ପଶ୍ଚିମବଙ୍ଗକୁ ଉଦ୍ଧୃତ କରି ଏଥିରେ କୁହାଯାଇଛି ଯେ ରାଜ୍ୟର ପ୍ରାୟ ୨.୭ ନିୟୁତ ଲୋକଙ୍କୁ ତାର୍କିକ ବିସଙ୍ଗତି ଭଳି ନୂତନ ବର୍ଗ ଅଧୀନରେ ଭୋଟ ଦେବାର ଅଧିକାରରୁ ବଂଚିତ କରାଯାଇଛି।
ଚିଠିରେ ଅଭିଯୋଗ କରାଯାଇଛି ଯେ ଡୁପ୍ଲିକେଟ୍ ଏବଂ ମୃତ ଭୋଟରଙ୍କୁ ହଟାଇବା ବାହାନାରେ ବହୁ ସଂଖ୍ୟକ ପ୍ରକୃତ ଭୋଟରଙ୍କୁ ଭୋଟର ତାଲିକାରୁ ମନଇଚ୍ଛା ବାଦ ଦିଆଯାଇଛି। ଏହି ସମ୍ପର୍କରେ ଗଠିତ ୧୯ ଟି ଟ୍ରିବ୍ୟୁନାଲ ମଧ୍ୟରୁ ଗୋଟିଏରେ ଦେଖାଯାଇଛି ଯେ ଏହାକୁ ଉପସ୍ଥାପିତ ୧,୭୭୭ ଟି ମାମଲା ମଧ୍ୟରୁ ୧,୭୧୭ ନାମ (୯୬ ପ୍ରତିଶତ) ଭୁଲ ଭାବରେ ବାଦ ଦିଆଯାଇଛି। ଏଥିରେ ଅଭିଯୋଗ କରାଯାଇଛି ଯେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ – ସିବିଆଇ, ଇଡି ଏବଂ ଏନଆଇଏ - କେବଳ ବିରୋଧୀ ନେତାମାନଙ୍କୁ ଟାର୍ଗେଟ କରିବା ଏବଂ ନିର୍ବାଚିତ ସରକାରକୁ ଭାଙ୍ଗିବା କିମ୍ବା ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପାଇଁ ବ୍ୟବହାର କରାଯାଉଛି।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ