
ନୂଆପଡ଼ା, ୩୦ ଜୁଲାଇ (ହି.ସ.)- ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ଖଡ଼ିଆଳ ବ୍ଲକ ବିରିଘାଟ ନିକଟ ସୁନ୍ଦର ନଦୀ କୂଳରେ ଥିବା ଏକ କୁକୁଡ଼ା ଫାର୍ମ ସମ୍ପୂର୍ଣ୍ଣ ଭାବେ ବନ୍ୟାଜଳ ଦ୍ୱାରା ଘେରି ଯାଇଥିଲା। ଫଳରେ ଫାର୍ମ ମାଲିକ ଧର୍ମୁ ମେହେରଙ୍କ ସମେତ ମୋଟ ୭ ଜଣ ଶ୍ରମିକ ସେଠାରୁ ବାହାରି ପାରିନଥିଲେ। ପରିସ୍ଥିତି ଅଧିକ ସଙ୍କଟପୂର୍ଣ୍ଣ ହେବାରୁ ସେମାନେ ଫାର୍ମର ଛାତ ଉପରେ ରାତିସାରା ଆଶ୍ରୟ ନେଇ ଉଦ୍ଧାରକୁ ଅପେକ୍ଷା କରୁଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ଆଜି ସକାଳେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତାଙ୍କ ନେତୃତ୍ୱରେ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଥିଲା। ଦୀର୍ଘ ସମୟ ଧରି ପ୍ରୟାସ ପରେ ଫାର୍ମ ମାଲିକଙ୍କ ସମେତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଓଡ୍ରାଫ୍ ଟିମ୍ ର ତ୍ୱରିତ ଓ ସାହସିକ ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଜିଲ୍ଲା ପ୍ରଶାସନ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ନଜର ରଖିଥିବା ବେଳେ ଆବଶ୍ୟକ ସ୍ଥାନରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ