
ଇଟାନଗର, ୩୦ ଜୁଲାଇ (ହି.ସ.)- ଅରୁଣାଚଳ ପ୍ରଦେଶର ବାଣିଜ୍ୟ ଓ ବ୍ୟବସାୟ ମନ୍ତ୍ରୀ ନ୍ୟାଟୋ ଡୁକାମ ଗୁରୁବାର ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାର ନାମପୋଙ୍ଗ ନିକଟସ୍ଥ ପାନପୋଙ୍ଗ ପାସ୍ ଅଂଚଳରେ ଭାରତ-ମ୍ୟାମାର ସୀମା ହାଟର ପୁନଃ ଆରମ୍ଭ ପାଇଁ ଏହାର ଔପଚାରିକ ଉଦ୍ଘାଟନ କରିଥିଲେ। ଏହାର ଉଦ୍ଦେଶ୍ୟ ସୀମାପାର ବ୍ୟବସାୟ, ଆର୍ôଥକ କାର୍ଯ୍ୟକଳାପ ଏବଂ ଆଂଚଳିକ ସମ୍ପର୍କକୁ ପୁଣିଥରେ ସୁଦୃଢ଼ କରିବା।
ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ମନ୍ତ୍ରୀ ଡୁକାମ ଏହି ଅଂଚଳର ଆର୍ôଥକ ବିକାଶକୁ ଆଗକୁ ବଢ଼ାଇବାରେ ବାଣିଜ୍ୟ ଓ ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଜୋର ଦେଇଥିଲେ। ସେ ସ୍ଥାନୀୟ ସମୁଦାୟ, ବ୍ୟବସାୟୀ ଏବଂ ପ୍ରଶାସନିକ ସଂସ୍ଥା ସମେତ ସମସ୍ତ ସମ୍ପୃକ୍ତ ପକ୍ଷଙ୍କୁ ସକ୍ରିୟ ଭାବେ ଯୋଡ଼ି ହୋଇ ବ୍ୟବସାୟକୁ ଦୈନନ୍ଦିନ ଜୀବନର ଏକ ସଜୀବ ଏବଂ ସ୍ଥାୟୀ ଅଂଶ କରିବାକୁ ଆହ୍ୱାନ କରିଥିଲେ। ପାଙ୍ଗସାଉ ଦର୍ରାର ଐତିହାସିକ ଏବଂ କୌଶଳଗତ ଗୁରୁତ୍ୱ ଉପରେ ଆଲୋକପାତ କରି ମନ୍ତ୍ରୀ ସ୍ଥାନୀୟ ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଥିଲେ ଏବଂ ଆଂଚଳିକ ବ୍ୟବସାୟ ଓ ସଂଯୋଗକୁ ଆହୁରି ବଢ଼ାଇବା ପାଇଁ ନାମପୋଙ୍ଗରେ ଏକ ନୂତନ ଲ୍ୟାଣ୍ଡ ପୋର୍ଟ ସ୍ଥାପନା ଯୋଜନାର ମଧ୍ୟ ଉଲ୍ଲେଖ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନେକ ପ୍ରମୁଖ ରାଜନୈତିକ ବ୍ୟକ୍ତିତ୍ୱ, ନାଗରିକ ପ୍ରଶାସକ, ସୁରକ୍ଷା ଅଧିକାରୀ ଏବଂ ସ୍ଥାନୀୟ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ନାମପୋଙ୍ଗ ନିର୍ବାଚନ କ୍ଷେତ୍ରର ବିଧାୟକ ଲୈସମ ସିମାଇ, ବାଣିଜ୍ୟ ଓ ବ୍ୟବସାୟ ମନ୍ତ୍ରୀଙ୍କ ପରାମର୍ଶଦାତା ଡ଼ଃ ମହେଶ ଚାଇ, ଅରୁଣାଚଳ ପ୍ରଦେଶ ସରକାରଙ୍କ ବାଣିଜ୍ୟ ଓ ବ୍ୟବସାୟ ସଚିବ ବୁଲ୍ଲୋ ମାମୁ ଏବଂ ଅନ୍ୟମାନେ ସାମିଲ ଥିଲେ।
ପରସ୍ପର ସଦ୍ଭାବ ଏବଂ ଆର୍ôଥକ ସହଯୋଗ ପ୍ରତି ସାମୁହିକ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରି ମ୍ୟାମାର ର ଏକ ପ୍ରତିନିଧି ଦଳ ମଧ୍ୟ ଉପସ୍ଥିତ ଥିଲା। ଆସିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ପାଙ୍ଗସାଉ ଟାଉନର ଟାଉନ ଚେୟାରମ୍ୟାନ, ମ୍ୟାମାର ସେନା ଏବଂ ପୁଲିସର ପ୍ରତିନିଧି, ସେହିପରି ୟୁନାଇଟେଡ୍ ତାଙ୍ଗଶାଙ୍ଗ କମିଟି ଏବଂ ସ୍ଥାନୀୟ ବଜାର କମିଟିର ନେତାମାନେ ସାମିଲ ଥିଲେ।
ସୀମା ହାଟର ପୁନଃ ଆରମ୍ଭ ଦ୍ୱାରା ସ୍ଥାନୀୟ ଲୋକଙ୍କ ଜୀବିକାରେ ଉଲ୍ଲେଖନୀୟ ସୁଧାର ଆସିବା, ସାଂସ୍କୃତିକ ସମ୍ପର୍କକୁ ପ୍ରୋତ୍ସାହନ ମିଳିବା ଏବଂ ସୀମାପାର ବ୍ୟବସାୟିକ ଆଦାନ-ପ୍ରଦାନର ବିସ୍ତାର ପାଇଁ ଭିତି ସ୍ଥାପିତ ହେବାର ଆଶା କରାଯାଉଛି।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ