
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଓ ବିଧାୟକ ଆଶ୍ରିତ ପଟ୍ଟନାୟକ, ମହାଲକ୍ଷ୍ମୀଙ୍କ ଚାହାଁଣି ମଣ୍ଡପରେ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ। ମହାଲକ୍ଷ୍ମୀଙ୍କ ଚାହାଁଣି ମଣ୍ଡପକୁ ସେବାୟତ ଛଡା ଅନ୍ୟ କେହି ଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନର ବାରଣ ସତ୍ୱେ ସରକାର ଓ ସରକାରୀ ଦଳର ନେତାମାନଙ୍କୁ ସେଠାରେ ରହିବା ପାଇଁ ବିଶେଷ ଅନୁମତି କିଏ ଦେଲା ବୋଲି ପ୍ରଶ୍ନ କରିଛି ବିଜେଡି।
ଗୁରୁବାର ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଥିଲେ ଯେ, ଗତ ୩ ବର୍ଷ ଧରି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ଲଗାତାର ଭାବେ ବିଭ୍ରାଟ ଦେଖାଯାଉଛି । ଚଳିତ ବର୍ଷ ରଥଯାତ୍ରା ମଧ୍ୟ ଶୃଙ୍ଖଳିତ ହେବା ପରିବର୍ତେ ଦଳାଚକଟାରେ ୩ ଜଣ ଭକ୍ତ ମୃତ୍ୟୁବରଣ କରିବା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ କ୍ଷମତା, ଅହଂକାରରେ ଏଭଳି କାର୍ଯ୍ୟ ଗ୍ରହଣୀୟ ନୁହେଁ। ସମର୍ପିତ ଭାବେ ମହାପ୍ରଭୁଙ୍କ ସେବା କରିବା ପରିବର୍ତେ ବିଜେପି ସରକାରଙ୍କ ଅହଂକାର ପ୍ରଦର୍ଶନ ଯୋଗୁଁ ଗତ ୩ ବର୍ଷ ଧରି ରଥ ପରିଚାଳନାରେ ବିଭ୍ରାଟ ହେଉଛି ଏବଂ ଭକ୍ତ ମୃତ୍ୟୁବରଣ କରୁଛନ୍ତି । ସରକାରଙ୍କ ଅପାରଗତା ଲାଗି ଲକ୍ଷ ଲକ୍ଷ ଭକ୍ତ ରଥ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଉପମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ଲାଗି ସେ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେଡି ଦାବି କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା