
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ଲଗାଣ ବର୍ଷା ହେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଦିଲ୍ଲୀରେ ଥିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ। ରାଜ୍ୟର ଅନେକ ଅଂଚଳ ଜଳମଗ୍ନ ହୋଇଯିବା ପରେ ସେ ଅଂଚଳର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଏକ ଘଡିସନ୍ଧି ମୁହୂର୍ତରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡ଼ାଇ କହିଥିଲେ ଯେ, ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତୁତି ନଥିବା ପରି ସ୍ପଷ୍ଟ ଜଣାପଡୁଛି। ବନ୍ୟାରେ ପ୍ରଭାବିତ ଅଂଚଳରେ ଶୁଖିଲା ଖାଦ୍ୟ ପହଂଚାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ, ଯେଉଁଥିରେ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି । ଏହାଛଡା କୌଣସି ଅଂଚଳରେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ରାଜ୍ୟରେ ଲଗାଣ ବର୍ଷାକୁ ନେଇ ଏଭଳି ସ୍ଥିତି ଉପୁଜିବା କିଛି ନୂଆ କଥା ନୁହେଁ। କିନ୍ତୁ ବନ୍ୟା ଆଶଙ୍କା ଉପୁଜିବା ପାଇଁ ପୂର୍ବ ସୂଚନା ଥିବା ସତ୍ୱେ, ସରକାରଙ୍କ କୌଣସି ପୂର୍ବ ପ୍ରସ୍ତୁତି ନଥିଲା । ବନ୍ୟା ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ନବୀନ ସରକାରଙ୍କ ସମୟରେ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା। ଜିରୋ କାଜୁଆଲିଟି ନୀତି ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶା ସମଗ୍ର ଦେଶ ତଥା ବିଶ୍ୱରେ ପ୍ରଶଂସିତ ହୋଇଥିଲା। କିନ୍ତୁ ରାଜ୍ୟରେ ସମସ୍ତ ବ୍ୟବସ୍ଥା ମହଜୁଦ ଥିବା ସତ୍ୱେ, ରାଜ୍ୟ ସରକାରଙ୍କରଇଚ୍ଛାଶକ୍ତି ଅଭାବ ଯୋଗୁଁ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।
ଶ୍ରୀ ଘଡ଼ାଇ ଆହୁରି କହିଥିଲେ ଯେ, ବନ୍ୟାକୁ ନେଇ ରାଜ୍ୟ ଏକ ଘଡିସନ୍ଧି ମୁହୂର୍ତ ଦେଇ ଗତି କରୁଥିଲା ବେଳେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ମୁକାବିଲା କରିବା ପରିବର୍ତେ ନିଜେ ଦିଲ୍ଲୀ ଗସ୍ତରେ ଅଛନ୍ତି । ବନ୍ୟା ମୁକାବିଲା ରାଜ୍ୟ ସରକାରଙ୍କ ପ୍ରାଥମିକତା ନାହିଁ ବୋଲି ଏଥୁରୁ ସ୍ପଷ୍ଟ ହେଉଛି। ଦିଲ୍ଲୀରେ ବସି, ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତି ଉପରେ ନଜର ରଖୁଛୁ ବୋଲି ବିବୃତି ଦେଇଛନ୍ତି । ବନ୍ୟାରେ ପ୍ରଭାବିତ ହୋଇ ହନ୍ତସନ୍ତ ହେଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନରେ ସରକାର ବିଫଳ ହୋଇଛନ୍ତି। ସରକାରଙ୍କ ଏହି ବିଫଳତା ପାଇଁ ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ, ଉଚିତ ସମୟରେ ଉଚିତ ଜବାବ ଦେବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା