
ନୂଆଦିଲ୍ଲୀ, ୩୦ ଜୁଲାଇ (ହି.ସ.)- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ନିବେଶ ଠକେଇ ମାମଲାରେ ୱାଂଟେଡ୍ ଅଭିଯୁକ୍ତ ରାହୁଲ ଶାମରାଓ କାଲୋଖେଙ୍କୁ ଫିଜିରୁ ଭାରତକୁ ପ୍ରତ୍ୟର୍ପଣ କରିଛି। କାଲୋଖେଙ୍କ ବିରୋଧରେ ତାଙ୍କ ସହଯୋଗୀମାନଙ୍କ ସହ ମିଶି ଲୋକମାନଙ୍କୁ ଅଧିକ ଲାଭର ପ୍ରଲୋଭନ ଦେଇ ନିବେଶ କରାଇବା ଏବଂ ନିବେଶକମାନଙ୍କ ଟଙ୍କାର ଦୁରୁପଯୋଗ କରି ବ୍ୟକ୍ତିଗତ ଲାଭ ହାସଲ କରିବାର ଅଭିଯୋଗ ରହିଛି।
ସିବିଆଇ କହିଛି ଯେ, ଏହି କାର୍ଯ୍ୟାନୁଷ୍ଠାନ ବିଦେଶ ମନ୍ତ୍ରାଳୟ, ଗୃହ ମନ୍ତ୍ରାଳୟ ଏବଂ ମହାରାଷ୍ଟ୍ର ପୋଲିସର ସହଯୋଗରେ କରାଯାଇଛି। କାଲୋଖେଙ୍କ ବିରୋଧରେ ଅଭିଯୋଗ ଯେ, ସେ ତାଙ୍କ ସହଯୋଗୀମାନଙ୍କ ସହ ମିଶି ଲୋକମାନଙ୍କୁ ବଡ଼ ଲାଭର ପ୍ରଲୋଭନ ଦେଇ ନିବେଶ କରିବାକୁ ପ୍ରେରିତ କରିଥିଲେ। ବହୁ ସଂଖ୍ୟକ ନିବେଶକ ବିଭିନ୍ନ ଯୋଜନାରେ ଟଙ୍କା ଜମା କରିଥିଲେ, କିନ୍ତୁ ଅଭିଯୁକ୍ତ ସେହି ଧନରାଶିର ଦୁରୁପଯୋଗ କରି ତାହାକୁ ବ୍ୟକ୍ତିଗତ ଲାଭ ପାଇଁ ବ୍ୟବହାର କରିଥିଲେ। ଅପରାଧ ପରେ ସେ ତଦନ୍ତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ବଂଚିବା ପାଇଁ ଫେରାର ହୋଇଯାଇଥିଲେ।
ମହାରାଷ୍ଟ୍ର ପୋଲିସର ଅନୁରୋଧରେ ସିବିଆଇ ଇଂଟରପୋଲ ଚ୍ୟାନେଲ ମାଧ୍ୟମରେ ତାଙ୍କ ବିରୋଧରେ ରେଡ୍ ନୋଟିସ ଜାରି କରାଇଥିଲା। ଏହା ପରେ ଅଭିଯୁକ୍ତଙ୍କ ଅବସ୍ଥାନ ଫିଜିରେ ଚିହ୍ନଟ ହୋଇଥିଲା ଏବଂ ସେଠାକାର ପୋଲିସ ତାଙ୍କୁ ଗିରଫ କରିଥିଲା। ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପରେ ଅଭିଯୁକ୍ତଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା।
-------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ