୧୫ ବର୍ଷରୁ ଖାଲି ପଡିଛି ପ୍ରଧାନ ଶିକ୍ଷକ ଚୌକି : ହଜିବାକୁ ବସିଲାଣି ଚମ୍ପୁଆ ପି.ଏମ. ଶ୍ରୀ ମହତାବ ଉଚ୍ଚ ବିଦ୍ୟାଳୟର ଆଦର୍ଶ
ଚମ୍ପୁଆ, ୩୦ ଜୁଲାଇ (ହି.ସ.) - ଶିକ୍ଷା କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିବାକୁ ଥିବା କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ପି.ଏମ. ଶ୍ରୀ ମାନ୍ୟତାପ୍ରାପ୍ତ ଚମ୍ପୁଆ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟ ଏବେ ନିଜର ପୂର୍ବ ଗୌରବ ଓ ଆଦର୍ଶ ହରାଇବାକୁ ବସିଛି। ବିଦ୍ୟାଳୟରେ ଦୀର୍ଘ ପ୍ରାୟ ୧୫ ବର୍ଷ ହେବ ନିୟମିତ ପ୍ରଧାନ
୧୫ ବର୍ଷରୁ ଖାଲି ପଡିଛି ପ୍ରଧାନ ଶିକ୍ଷକ ଚୌକି : ହଜିବାକୁ ବସିଲାଣି ଚମ୍ପୁଆ ପି.ଏମ. ଶ୍ରୀ ମହତାବ ଉଚ୍ଚ ବିଦ୍ୟାଳୟର ଆଦର୍ଶ


ଚମ୍ପୁଆ, ୩୦ ଜୁଲାଇ (ହି.ସ.) - ଶିକ୍ଷା କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିବାକୁ ଥିବା କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ପି.ଏମ. ଶ୍ରୀ ମାନ୍ୟତାପ୍ରାପ୍ତ ଚମ୍ପୁଆ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟ ଏବେ ନିଜର ପୂର୍ବ ଗୌରବ ଓ ଆଦର୍ଶ ହରାଇବାକୁ ବସିଛି। ବିଦ୍ୟାଳୟରେ ଦୀର୍ଘ ପ୍ରାୟ ୧୫ ବର୍ଷ ହେବ ନିୟମିତ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ବର୍ତମାନ ଏନ.ସି.ସି. ଶିକ୍ଷକ ଗିରିଶ ଚନ୍ଦ୍ର ପ୍ରଧାନଙ୍କୁ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି। ଏଭଳି ସ୍ଥିତିରେ ବିଦ୍ୟାଳୟର ପରିଚାଳନା ଏବଂ ଶିକ୍ଷାଦାନ ବ୍ୟବସ୍ଥା ଗରୁତର ଭାବେ ପ୍ରଭାବିତ ହେଉଥିବା ଅଂଚଳର ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ହଜିଯାଉଥିବା ଆଦର୍ଶକୁ ଫେରାଇ ଆଣିବାକୁ ହେଲେ କେତେକ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ହୋଇ ପଡ଼ିଥିବା ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସରକାରୀ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହିତ ଶ୍ରେଣୀଗୃହରେ ପାଠ ପଢ଼ାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାରରୁ ସମ୍ପୂର୍ଣ୍ଣ ବିରତ ରହିବାକୁ ସାଧାରଣରେ ଦାବି ହେଉଛି। ଯଦି ଶିକ୍ଷକମାନେ ନିଜର ଦାୟିତ୍ୱ ପ୍ରତି ସଚେତନ ନ ହୁଅନ୍ତି, ତେବେ ବିଦ୍ୟାଳୟର ଭବିଷ୍ୟତ ଅନ୍ଧକାର ହୋଇଯିବ। ବିଦ୍ୟାଳୟର ବର୍ତମାନର ଅବସ୍ଥା ଏପରି ହୋଇଛି ଯେ, ଯଦି ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ବ୍ୟବସ୍ଥା ଦେଖିବେ, ତେବେ ଏହାଠାରୁ ମୁହଁ ମୋଡ଼ି ନେବାକୁ ବାଧ୍ୟ ହେବେ। ଶିକ୍ଷାଦାନରେ ଶିଥିଳତା ଏବଂ ଦାୟିତ୍ୱହୀନତା ଯୋଗୁଁ ବିଦ୍ୟାଳୟର ମାନ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ଗୁରୁତର ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଏବଂ ଶିକ୍ଷା ବିଭାଗ ଦୃଷ୍ଟି ଦେବା ପାଇଁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାଣ ଦାବି କରିଛନ୍ତି। କର୍ତବ୍ୟରେ ଅବହେଳା କରୁଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ବିଭାଗୀୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ, ଆଗାମୀ ଦିନରେ ଏହି ଐତିହାସିକ ବିଦ୍ୟାଳୟଟି ସମ୍ପୂର୍ଣ୍ଣ ଭାବେ ନିଜର ଆଦର୍ଶ ହରାଇ ବସିବ ବୋଲି କୁହାଯାଉଛି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande