
ଝାରସୁଗୁଡ଼ା, ୩୦ ଜୁଲାଇ (ହି.ସ.)- ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଏକତାଲି ବାଳିକା ପ୍ରାଥମିକ ବିଦ୍ୟାଳୟ ଅଚାନକ ପରିଦର୍ଶନ କରି ବିଦ୍ୟାଳୟର ସାମଗ୍ରିକ ପରିଚାଳନା, ଭିତ୍ତିଭୂମି ଏବଂ ଶିକ୍ଷାଦାନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଭିନ୍ନ ଶ୍ରେଣୀଗୃହ ବୁଲି ଛାତ୍ରୀମାନଙ୍କର ଶିକ୍ଷଣ ସ୍ତରର ଆକଳନ କରିବା ସହ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ବିଦ୍ୟାଳୟର ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ପରିମଳ ଓ ପରିଚ୍ଛନ୍ନତା ସହ ଛାତ୍ରୀମାନଙ୍କ ପାଇଁ ଉପଲବ୍ଧ ମୌଳିକ ସୁବିଧାର ତଦାରଖ କରିଥିଲେ। ବିଦ୍ୟାଳୟ ପରିସରରେ ସ୍ୱଚ୍ଛ, ସୁରକ୍ଷିତ ଓ ଶିକ୍ଷାନୁକୂଳ ପରିବେଶ ବଜାୟ ରଖିବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ।
ବିଦ୍ୟାଳୟର ଭିତ୍ତିଭୂମିର ଅଧିକ ଉନ୍ନତି ସହିତ ଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲାପାଳ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଶିକ୍ଷାର ଗୁଣବତ୍ତା ବୃଦ୍ଧି ସହ ଛାତ୍ରୀମାନଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ