
କେନ୍ଦ୍ରାପଡ଼ା, ୩୦ ଜୁଲାଇ(ହି.ସ.) – ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍.ଆୟରଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୫ଟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବନ୍ୟା ପ୍ରସ୍ତୁତି ଓ ସମନ୍ୱୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଧାୟକ ମହାକାଳପଡ଼ା ଶ୍ରୀ ଦୁର୍ଗାପ୍ରସନ୍ନ ନାୟକ, ବିଧାୟକ ପାଟକୁରା ଶ୍ରୀ ଅରବିନ୍ଦ ମହାପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ଜଳସେଚନ, ଆଳି ଏମ୍ବାଙ୍କମେଂଟ, ଡ୍ରେନେଜ୍, ପୂର୍ତ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, ସ୍ୱାସ୍ଥ୍ୟ, ଅଗ୍ନିଶମ, କୃଷି, ପ୍ରାଣୀ ସମ୍ପଦ, ଯୋଗାଣ, ସମାଜ ମଙ୍ଗଳ, ଜରୁରୀକାଳୀନ ଶାଖା ସମେତ ସମସ୍ତ ଲାଇନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ଜିଲ୍ଲାର ବର୍ତମାନ ବନ୍ୟା ପରିସ୍ଥିତି, ବୈତରଣୀ ନଦୀର ଜଳସ୍ତର, ନଦୀବନ୍ଧର ସୁରକ୍ଷା, ଦୁର୍ବଳ ସ୍ଥାନଗୁଡ଼ିକର ନିରନ୍ତର ତଦାରଖ, ଜଳ ନିଷ୍କାସନ ବ୍ୟବସ୍ଥା, ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଂଚଳ ଚିହ୍ନଟ, ଲୋକଙ୍କ ସ୍ଥାନାନ୍ତରଣ, ବନ୍ୟା ଆଶ୍ରୟସ୍ଥଳଗୁଡ଼ିକର ପ୍ରସ୍ତୁତି, ପାନୀୟ ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟସେବା, ଔଷଧ, ସାପ କାମୁଡ଼ା ଔଷଧ, ଶୁଖିଲା ଖାଦ୍ୟ, ଅତ୍ୟାବଶ୍ୟକ ସାମଗ୍ରୀ, ପଶୁଖାଦ୍ୟ, ପଶୁ ଚିକିତ୍ସା, ସଡ଼କ ସଂଯୋଗ, ଉଦ୍ଧାରକାରୀ ଦଳ, ଅଗ୍ନିଶମ ବାହିନୀ ଅନ୍ୟାନ୍ୟ ଜରୁରୀକାଳୀନ ସେବାର ପ୍ରସ୍ତୁତି ସମ୍ପର୍କରେ ବିଭାଗୱାରୀ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ପ୍ରତ୍ୟେକ ବିଭାଗକୁ ୨୪ ଘଂଟିଆ ସଜାଗ ରହିବା, କଂଟ୍ରୋଲ ରୁମକୁ ସକ୍ରିୟ ରଖିବା, ବିଭାଗୀୟ ଅଧିକାରୀମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ ରହି ପରିସ୍ଥିତି ଉପରେ କଡ଼ା ନଜର ରଖିବା, ଜରୁରୀ ଯନ୍ତ୍ରପାତି, ଡଙ୍ଗା, ଜେନେରେଟର, ପମ୍ପସେଟ୍ ଓ ଉଦ୍ଧାର ସାମଗ୍ରୀକୁ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ପଡ଼ିଲେ ତୁରନ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଂଚଳରେ ପାନୀୟ ଜଳ, ଖାଦ୍ୟ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା ଓ ବିଦ୍ୟୁତ ସେବା ଯେପରି ବ୍ୟାହତ ନହୁଏ, ସେଥିପାଇଁ ସମସ୍ତ ବିଭାଗ ମଧ୍ୟରେ ନିବିଡ଼ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ଜନସାଧାରଣଙ୍କ ଜୀବନ ଓ ସମ୍ପତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କୌଣସି ପ୍ରକାରର ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି