
ଖୋର୍ଦ୍ଧା, ୩୦ ଜୁଲାଇ (ହି.ସ.)- ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଗୁରୁବାର ଜିଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇଛନ୍ତି। ଏନେଇ ସଜାଗ ସଚେତନ ରହିବାକୁ ସମସ୍ତ ବିଡିଓ, ତହସିଲଦାର, ପୌରପରିଷଦକୁ ପରାମର୍ଶ ଦିଆଯାଇଛି। ଏପରିକି ସମସ୍ତ ବିଭାଗକୁ ସମନ୍ବୟ ବୈଠକ କରାଯାଇ ତାଗିଦ କରାଯାଇଛି। ସମ୍ଭାବ୍ୟ ବନ୍ୟାଞ୍ଚଳ ଉପରେ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯିବା ସହ ଦୃଷ୍ଟି ଦିଆଯାଇଛି। ଖାଦ୍ୟ, ସ୍ବାସ୍ଥ୍ୟ, ବିଶୁଦ୍ଧ ପାନୀୟଜଳ ଯୋଗାଣ, ଭ୍ରାମ୍ୟମାଣ ମେଡିକାଲ ଟିମ୍ ସଜାଗ ରହିଛି। ଏଥିସହିତ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ତ୍ୱରିତ ସ୍ଥାନାନ୍ତର, ଚଳାଚଳ ପାଇଁ ଡଙ୍ଗା ପ୍ରସ୍ତୁତ ରହିଛି। କୌଣସି ସୂଚନା ଆଦାନପ୍ରଦାନ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଜରୁରୀକାଳିନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଓ ସମସ୍ତ ବ୍ଲକ ସ୍ତରରେ ମଧ୍ୟ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି।ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ ସ୍ଥାନୀୟ ଜନ ପ୍ରତିନିଧି, ଜନସାଧାରଣଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି। ଆସନ୍ନ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସମେତ ଘରୋଇ ବିଦ୍ୟାଳୟଗୁଡ଼ିକ ୩୦ ଜୁଲାଇ ଅପରାହ୍ନ ୧ଟା ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ। ଗୁରୁବାର ମଧ୍ୟାହ୍ନ ଭୋଜନ (ଏମ୍ ଡି ଏମ) ଶୀଘ୍ର ପ୍ରଦାନ କରିବାକୁ ପଦକ୍ଷେପ ନିଆଯିବ । ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ଅପରାହ୍ନ୧ଟା ସୁଦ୍ଧା ବନ୍ଦ କରାଯାଇପାରିବ। ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀମାନେ ନିୟମିତ ଭାବେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ଆଗାମୀ ୪ ଦିନ ପାଇଁ କୌଣସି ପ୍ରକାରର ଛୁଟି ଅନୁମତି ଦିଆଯିବ ନାହିଁ। ବିଦ୍ୟାଳୟ ଭବନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି। ବିଦ୍ୟାଳୟକୁ ୨୪x୭ ଖୋଲା ରଖିବା ପାଇଁ ପ୍ରଧାନଶିକ୍ଷକମାନଙ୍କ ଦ୍ୱାରା ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରାଯିବ ଏବଂ ଯେକୌଣସି ସମୟରେ ଜିଲା ପ୍ରଶାସନକୁ ସହଯୋଗ ପ୍ରଦାନ କରିବେ। ଆସନ୍ନ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ତୁରନ୍ତ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଖୋର୍ଦ୍ଧା ଜିଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅଧ୍ୟକ୍ଷମାନଙ୍କୁ ଏନେଇ ଅବଗତ କରାଇବାକୁ ଜିଲାପାଳ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲାର ସମସ୍ତ ଅଧିକାରୀ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବେ । ବିନା ଅନୁମତିରେ କୌଣସି ପରିସ୍ଥିତିରେ ମଧ୍ୟ ମୁଖ୍ୟାଳୟ ଛାଡ଼ିବାକୁ ଅନୁମତି ଦିଆଯିବ ନାହିଁ। ଜିଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଉଛି । ଛୁଟିରେ ଥିବା କର୍ମଚାରୀମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଉଛି।
ହିନ୍ଦୁସ୍ଥାନ ସମାଚାର / ରାକେଶ