
ମାଲକାନଗିରି , ୩୦ ଜୁଲାଇ (ହି.ସ.)
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାସ୍ଥିତ ସରକାରୀ ଡିଗ୍ରୀ ମହାବିଦ୍ୟାଳୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଏବଂ ମହାବିଦ୍ୟାଳୟର ଶିକ୍ଷାଗତ ପରିବେଶକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ଫଳପ୍ରଦ ଆଲୋଚନା ବୈଠକ ଆଜି ଅନୁଷ୍ଠିତ ହୋଇଛି।
ବୈଠକରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇ ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି, ନିୟମିତ ଶ୍ରେଣୀ ପରିଚାଳନା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ବୃଦ୍ଧି, ଗବେଷଣାମୂଳକ ଶିକ୍ଷା, ସହ-ପାଠ୍ୟକ୍ରମ କାର୍ଯ୍ୟକଳାପର ପ୍ରୋତ୍ସାହନ, ପୁସ୍ତକାଳୟ ଓ ଡିଜିଟାଲ୍ ସୁବିଧାର ସଦୁପଯୋଗ ସହ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ସମ୍ପର୍କରେ ନିଜ ନିଜର ମତାମତ ଓ ପରାମର୍ଶ ରଖିଥିଲେ। ଅଧ୍ୟକ୍ଷ ମଧ୍ୟ ଶିକ୍ଷକମାନଙ୍କ ପରାମର୍ଶକୁ ସ୍ୱାଗତ କରି ଛାତ୍ରକୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଆଲୋଚନା ବେଶ୍ ଗଠନମୂଳକ ଓ ଫଳପ୍ରଦ ରହିଥିବା ବେଳେ ଆଗାମୀ ଦିନରେ ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ। ଏହି ସୌହାର୍ଦ୍ୟପୂର୍ଣ୍ଣ ମିଳନ କେବଳ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିନଥିଲା, ବରଂ ଏକ ସକାରାତ୍ମକ ଓ ସହଯୋଗୀ କାର୍ଯ୍ୟ ପରିବେଶ ସୃଷ୍ଟିରେ ମଧ୍ୟ ସହାୟକ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ