
ଅହମ୍ମଦାବାଦ, ଜୁଲାଇ 30 (ହି.ସ) : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଦିନ ଗୁଜରାଟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି। ସମ୍ଭାବ୍ୟ ଭୟଙ୍କର ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଜରୁରୀକାଳୀନ ଅପରେସନ ସେଣ୍ଟର (ଏସଇଓସି) ସମସ୍ତ ଜିଲ୍ଲା ପ୍ରଶାସନକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛି।
ଆଇଏମ୍ଡି ବନାସକାଣ୍ଠା, ସାବରକନ୍ଥା, ଆରାବଳୀ, ମହିସାଗର, ପଞ୍ଚମହଲ, ଦାହୋଦ ଏବଂ ଛୋଟା ଉଦୟପୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଏହି ସମୟରେ ପାଟନ, ମେହସାନା, ଗାନ୍ଧୀନଗର, ଅହମ୍ମଦାବାଦ, ଖେଡ଼ା, ଆନନ୍ଦ, ଭଦୋଦରା, ଭରୁଚ, ସୁରଟ, ନର୍ମଦା, ତାପି, ଡାଙ୍ଗ, ନବସାରୀ, ଭାଲସାଦ ଏବଂ ଦାଦ୍ରା ଓ ନଗର ହାଭେଲିରେ ହଳଦିଆ ଆଲର୍ଟ ଜାରି କରାଯାଇଛି। କେତେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୌରାଷ୍ଟ୍ର ଏବଂ କଚ୍ଛ ଅଞ୍ଚଳକୁ ଗ୍ରୀନ୍ ଜୋନ୍ରେ ରଖାଯାଇଛି।
ସମ୍ଭାବ୍ୟ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଏସ୍. ଇ. ଓ. ସି. ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା ପାର୍ଶ୍ୱରେ ଥିବା ଗଛ, ବିପଜ୍ଜନକ ହୋର୍ଡିଂ, ଦୁର୍ବଳ ବିଦ୍ୟୁତ୍ ଖୁଣ୍ଟ ଏବଂ ଅସ୍ଥାୟୀ ସଂରଚନାକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜରାଜୀର୍ଣ୍ଣ ଅଟ୍ଟାଳିକାରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନ କିମ୍ବା ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରି ଖାଦ୍ୟ ଏବଂ ଆବଶ୍ୟକ ସୁବିଧା ଯୋଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।
ଏହା ବ୍ୟତୀତ ଜଳମଗ୍ନ ରାସ୍ତା ଏବଂ ଜରାଜୀର୍ଣ୍ଣ ସେତୁରେ ଯାନବାହନ ଚଳାଚଳ ବନ୍ଦ କରିବା, ସମସ୍ତ ବିଭାଗର 24×7 ନିୟନ୍ତ୍ରଣ କକ୍ଷକୁ ସକ୍ରିୟ ରଖିବା ଏବଂ ଆପଦା ମିତ୍ର, ହୋମ୍ ଗାର୍ଡ, ଜିଆରଡି, ଏସଆରଡି, ଏନସିସି, ଏନଏସଏସ, ଉଦ୍ଧାରକାରୀ ଡଙ୍ଗା, ଏନଡିଆରଏଫ ଏବଂ ଏସଡିଆରଏଫକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ବିଭାଗର ଚେତାବନୀକୁ ପାଳନ କରିବା ଏବଂ ଅନାବଶ୍ୟକ ଯାତ୍ରା ଏଡ଼ାଇବା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ନିବେଦନ କରିଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା