




ବଲାଙ୍ଗିର, 30 ଜୁଲାଇ (ହି.ସ.) ଆନନ୍ଦ ନିକେତନ ଆଶ୍ରମ, ଖୁଜେନପାଲି, ବଲାଙ୍ଗିର ଠାରେ ଜୁଲାଇ ୨୮ ଓ ୨୯ ତାରିଖ ଦୁଇଦିନ ଧରି “ଗୁରୁପୂର୍ଣ୍ଣିମା ମହୋତ୍ସବ (ବ୍ୟାସପୂର୍ଣ୍ଣିମା)” ଅତ୍ୟନ୍ତ ଭକ୍ତିମୟ ପରିବେଶ ଓ ଆନନ୍ଦୋଲ୍ଲାସର ସହ ପାଳିତ ହୋଇଯାଇଛି।
ଜୁଲାଇ ୨୮ ତାରିଖ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ସହିତ ମହୋତ୍ସବର ଶୁଭାରମ୍ଭ ହୋଇଥିଲା। ଭଜନ-ସଂକୀର୍ତ୍ତନ ମାଧ୍ୟମରେ ସମଗ୍ର ଆଶ୍ରମ ପରିସର ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ଜୁଲାଇ ୨୯ ଗୁରୁ ପୂର୍ଣିମା ଅବସରରେ ଆଶ୍ରମସ୍ଥ ସନ୍ନ୍ୟାସୀବୃନ୍ଦଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହାପରେ ପୂଜ୍ୟପାଦ ସଦ୍ଗୁରୁଦେବ ପରମହଂସ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜ ଗୁରୁପୂର୍ଣ୍ଣିମାର ଆଧ୍ୟାତ୍ମିକ ମହତ୍ତ୍ୱ, ଗୁରୁ-ଶିଷ୍ୟ ପରମ୍ପରା ସମ୍ପର୍କରେ ଆଶୀର୍ବଚନ ପ୍ରଦାନ କରିଥିଲେ।
ଏହି ଅବସରରେ ବିଶ୍ୱାତ୍ମ ଚେତନା ପରିଷଦ ପକ୍ଷରୁ ପୂଜ୍ୟପାଦ ଶ୍ରୀସ୍ୱାମୀଜୀ ମହାରାଜଙ୍କ କରକମଳରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା, ସମ୍ମାନିତ ବ୍ୟକ୍ତିବୃନ୍ଦ ହେଲେ—
ବିଶ୍ୱାତ୍ମ-ଚେତନା ପ୍ରଜ୍ଞାଶକ୍ତି ସମ୍ମାନ–୨୦୨୫: ଶ୍ରୀମତୀ କିରଣଦେବୀ ଅଗ୍ରୱାଲ (ଲଡ୍ଡୁଗାଁ, କଳାହାଣ୍ଡି), ବିଶ୍ୱାତ୍ମ-ଚେତନା କର୍ମଯୋଗୀ ସମ୍ମାନ–୨୦୨୫: ସ୍ବର୍ଗତ ଶ୍ରୀ ପ୍ରମିଳ ପଣ୍ଡା (ଜୟପାଟଣା, କଳାହାଣ୍ଡି), ବିଶ୍ୱାତ୍ମ-ଚେତନା ବିଶିଷ୍ଟ କର୍ମଯୋଗୀ ସମ୍ମାନ–୨୦୨୫: ଶ୍ରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ (ବରଗଡ଼), ବିଶ୍ୱାତ୍ମ-ଚେତନା ପ୍ରତିଭା ସମ୍ମାନ–୨୦୨୫: ଶ୍ରୀ ମାନସ ପଣ୍ଡା (ଜୟପାଟଣା, କଳାହାଣ୍ଡି) ଏବଂ
ବିଶ୍ୱାତ୍ମ-ଚେତନା ସମ୍ମାନ–୨୦୨୫: ଶ୍ରୀ ଶଙ୍ଖଦେବ ମିଶ୍ର (ଘରଘୋଡ଼ା, ଛତିଶଗଡ଼)
ସେହିପରି ବିଶ୍ୱାତ୍ମ ଚେତନା ଟ୍ରଷ୍ଟ ପକ୍ଷରୁ ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ନିଃଶୁଳ୍କ ଶିକ୍ଷା ଲାଭ କରୁଥିବା ଶିଶୁ ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ସ୍କୁଲ ବ୍ୟାଗ୍, ଜୋତା, ପୁସ୍ତକ ସମେତ ବିଭିନ୍ନ ଶିକ୍ଷା ଉପକରଣ ବଣ୍ଟନ କରାଯାଇଥିଲା।
ଏହି ମହୋତ୍ସବରେ ଓଡ଼ିଶା ଓ ଛତିଶଗଡ଼ର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ-ଶିଷ୍ଯ ଯୋଗଦେଇ ଗୁରୁଦେବଙ୍କ ଦିବ୍ୟ ଆଶୀର୍ବାଦ ଲାଭ କରିଥିଲେ। ପରିଶେଷରେ ସମସ୍ତ ଉପସ୍ଥିତ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ବିଶ୍ବାତ୍ମ ଚେତନା ପରିଷଦ, ସାଧାରଣ ସମ୍ପାଦକ ପୂଜ୍ୟ ସ୍ବାମୀ ସତ୍ଯବେଦାନନ୍ଦ ସରସ୍ଵତୀଜୀ ପରିଚାଳନା କରିଥିଲେ। ଏହି ସହିତ ବିଶ୍ୱାତ୍ମ ଚେତନା ପରିଷଦର ଅନ୍ୟାନ୍ୟ ଶାଖାମାନଙ୍କରେ ମଧ୍ୟ ଗୁରୁପୂର୍ଣ୍ଣିମା ମହୋତ୍ସବ ଭକ୍ତିଭାବ ଓ ଉତ୍ସାହର ସହ ପାଳନ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ