
ଝାରସୁଗୁଡ଼ା, ୩୦ ଜୁଲାଇ (ହି.ସ.)- ଲଗାଣ ବର୍ଷା ଯୋଗୁଁ କୋଲାବିରା ବ୍ଲକ ଅନ୍ତର୍ଗତ ପୋଖରାସାହ୍ଲେ ପଞ୍ଚାୟତର ମାଳିଡିହି ଗ୍ରାମରେ ଏକ ପରିବାର ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଗ୍ରାମର ସନ୍ୟାସୀ ରଣାଙ୍କ ଘରର କାନ୍ଥ ଗୁରୁବାର ଭୋର ସମୟରେ ହଠାତ୍ ଭୁଶୁଡ଼ି ପଡ଼ିଥିବାରୁ ଘରେ ରଖାଯାଇଥିବା ବିଭିନ୍ନ ଆସବାବପତ୍ର, ଘରୋଇ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ର ନଷ୍ଟ ହୋଇଯାଇଛି।
ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଅଞ୍ଚଳରେ ଲଗାତାର ବର୍ଷା ହେବା ଫଳରେ ଘରର ମାଟି କାନ୍ଥ ଦୁର୍ବଳ ହୋଇପଡ଼ିଥିଲା। ଗୁରୁବାର ଭୋରରେ କାନ୍ଥଟି ହଠାତ୍ ଭାଙ୍ଗି ପଡ଼ିବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ। ସୌଭାଗ୍ୟବଶତଃ ଘଟଣା ସମୟରେ କେହି କାନ୍ଥ ନିକଟରେ ନଥିବାରୁ କୌଣସି ଜୀବନହାନି କିମ୍ବା ଆହତ ହେବାର ଘଟଣା ଘଟିନାହିଁ।
କ୍ଷତିଗ୍ରସ୍ତ ସନ୍ୟାସୀ ରଣା ଘଟଣା ସମ୍ପର୍କରେ ପୋଖରାସାହ୍ଲେ ସରପଞ୍ଚ ଓ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କୁ ଅବଗତ କରାଇ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି। ଘଟଣାର ତଦନ୍ତ କରି କ୍ଷୟକ୍ଷତିର ଆକଳନ କରାଯାଇ ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉ ବୋଲି ସ୍ଥାନୀୟ ଲୋକମାନେ ମଧ୍ୟ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ