
-କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଉପସ୍ଥିତିରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିନ ନୂଆଦିଲ୍ଲୀଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ସାଏଙ୍କ ଉପସ୍ଥିତିରେ ମହାନଦୀ ଜଳବଂଟନ ଓ ପରିଚାଳନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇଛନ୍ତି।
ଏହି ବୈଠକରେ ଓଡ଼ିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆମର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରାଯାଇଛି। ଉଭୟ ରାଜ୍ୟ ମଧ୍ୟରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ମାଧ୍ୟମରେ ମହାନଦୀ ଜଳ ସମସ୍ୟାର ଏକ ସ୍ଥାୟୀ, ଆପୋଷ ଓ ସନ୍ତୋଷଜନକ ସମାଧାନ ବାହାର କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ ହେବ। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଏନେଇ ସହମତି ହୋଇଛି। ୩ ମାସ ମଧ୍ୟରେ ମହାନଦୀ ଜଳ ବଂଟନ ଓ ପରିଚାଳନାର ସମାଧାନ ହେବ। ବୈଠକରେ ଓଡ଼ିଶାର ଅଧିକାର ଓ ଚାଷୀ କୂଳ ଭବିଷ୍ୟତକୁ ଗୁରୁତ୍ୱ ଦିଆଯାଇଛି। ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା