
କନ୍ଧମାଳ, ୩୦ ଜୁଲାଇ (ହି.ସ.)- ଫୁଲବାଣୀରେ ଜିଲ୍ଲା ସ୍ତରୀୟ ମାନସିକ ସ୍ବାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବି.ଏନ.ଆଇ. ବାଙ୍ଗାଲୋର ଏବଂ ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀ କନ୍ଧମାଳ ମିଳିତ ସହଯୋଗରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଫୁଲବାଣୀର ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଏକ ଦିବସୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ଅନ୍ୟତମ ଅତିଥିଭାବେ ଡା. ପ୍ରଶନ୍ନ କୁମାର ତ୍ରୀପାଠୀ, ମାନସିକ ସ୍ୱାସ୍ଥ୍ୟ ବିଭାଗର ମାଳତୀ ବେହେରା, ଫାଦର୍ ମଦନ ସୁଆଳ ସିଂ (ସଂପାଦକ ଜନ ବିକାଶ), ସମାଜସେବୀ ମନୋଜ କୁମାର ମିଶ୍ର, ଡା. ଶୁଭମ୍ (ନିପିଡୀତ୍), ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ପ୍ରବୀଣ କୁମାର ଦିଗାଲ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରତ୍ନେଶ୍ୱର ସାହୁ ଏବଂ ସ୍ବେଛାସେବୀ ତଥା ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଯୋଗଦେବା ସହିତ ଗୋଷ୍ଠୀ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଟିକାବାଲି ଏବଂ କ.ନୂଆଗାଁର ୧୬ ଗୋଟି ଗ୍ରାମ ପଂଚାୟତରୁ ୪୪ ଜଣ ଯତ୍ନକାରୀ ଏବଂ ମାନସିକ ଅସୁସ୍ଥ ବ୍ୟକ୍ତି ଯୋଗଦାନ କରିଥିଲେ । ଆରକ୍ଷୀ ଅଧିକ୍ଷକ, ଜିଲ୍ଲାରେ ନିଶା ଦ୍ରବ୍ୟର ବ୍ୟବହାର ଦ୍ୱାରା ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧିକୁ ଦଣ୍ଡ ବିଧାନ ନକରି ଚିକିତ୍ସା ଏବଂ ପରିବାର ସହାୟତାରେ କିପରି ରୋକାଯାଇ ସେମାନଙ୍କୁ ଥଇଥାନ କରାଯାଇପାରିବ ଏବଂ ବାହାରେ ବୁଲୁଥିବା ମାନସିକ ଅସୁସ୍ଥ ବ୍ୟକ୍ତିମାନେ କିପରି ପୋଲିସ ପ୍ରଶାସନ ସହାୟତାରେ ମାନସିକ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଚିକିତ୍ସିତ ହୋଇପାରିବେ ସେ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ସ୍ୱାତୀର କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ସ୍ୱାତୀ ର ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରୁ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ପ୍ରଶଂସା କରି ତାଙ୍କର ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି ଡା. ପ୍ରଶନ୍ନ କୁମାର ତ୍ରୀପାଠୀ ପ୍ରତିଶୃତି ଦେଇଥିଲେ । ପରିବାର ମଧ୍ୟରେ ରହି ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କୁ ପରାମର୍ଶ ଏବଂ ଚିକିତ୍ସା ମାଧ୍ୟମରେ କିପରି ସମଜର ମୂଖ୍ୟ ସ୍ରୋତରେ ସାମିଲ୍ କରାଯାଇ ପାରିବ, ଉଦାହରଣ ମାଧ୍ୟମରେ ସମାଜସେବୀ ମନୋଜ କୁମାର ମିଶ୍ର ସମସ୍ତଙ୍କୁ ବୁଝାଇଥିଲେ । ମାନସିକ ସ୍ୱାସ୍ଥ୍ୟ ବିଭାଗର ମାଳତୀ ବେହେରା, ଉପସ୍ଥିତ ଥିବା ମାନସିକ ଅସୁସ୍ଥ ବ୍ୟକ୍ତି ଏବଂ ଯତ୍ନକାରୀ ମାନଙ୍କୁ ସେବା, ଯତ୍ନ ବିଷୟରେ କହିଥିଲେ ।
ଫାଦର୍ ମଦନ ସୁଆଳ ସିଂ (ସଂପାଦକ ଜନ ବିକାଶ) ସମାଜରେ ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ପ୍ରତି ଥିବା ଘୃଣା ଭାବ ଏବଂ ପରିବାରର ବୋଝ ବିଷୟରେ ଉଦାହରଣ ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସମସ୍ତେ କିପରି ମହିଳା ମାନଙ୍କୁ ପ୍ରାଧାନ୍ୟ ଦେଇ ଏହି ସେବା କାର୍ଯ୍ୟରେ ଆଗେଇ ଆସିବେ ଏବଂ ଆବଶ୍ୟକ ସ୍ଥଳେ ପୋଲିସ ର ସହାୟତା ନେଇ କାମ କରିପାରିବେ, ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ନିଜର ଅନୁଭୁତି ମାଧ୍ୟମରେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ମାନସିକ ଅସୁସ୍ଥ ବ୍ୟକ୍ତି ମାନଙ୍କ ଅବହେଳିତ ପିଲା ମାନଙ୍କୁ କିପରି ଶିଶୁ ମଙ୍ଗଳ ସମିତି ଦ୍ୱାରା ଥଇଥାନ କରି ଶିକ୍ଷା ପ୍ରଦାନ କରାଯାଇ ପାରିବ, ସେ ବିଷୟରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରତ୍ନେଶ୍ୱର ସାହୁ ସମସ୍ତଙ୍କୁ ଅବଗତ କରାଇଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ସ୍ୱାତୀ କର୍ମୀ ଗିରିଶ ଚନ୍ଦ୍ର ସାମଲ ପରିଚାଳନା କରିଥିବା ବେଳେ ଆଲୋକ ସାମନ୍ତରାୟ, ରୋହିମୁଦ୍ ନାୟକ ଏବଂ ସ୍ୱାତୀ ର ଅନ୍ୟାନ୍ୟ କର୍ମୀ ମାନେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ