
ଝାରସୁଗୁଡ଼ା, ୩୦ ଜୁଲାଇ (ହି.ସ.)- ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ଡ. ବୃନ୍ଦା ଡି ରଘୁନାଥପାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ-କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟସେବା ଯୋଗାଣର ସରଜମିନ୍ ଅନୁଧ୍ୟାନ କରିଛନ୍ତି। ଏହି ପରିଦର୍ଶନ କାଳରେ ସେ ଉପ-କେନ୍ଦ୍ରର ସୋସିଆଲ୍ ଓ କ୍ଲିନିକାଲ୍ ସେବା ଭିତ୍ତିଭୂମି, ସିଏଚ୍ଓ କ୍ଲିନିକାଲ୍ ରୁମ୍, ମଲ୍ଟି-ୟୁଟିଲିଟି ରୁମ୍, ଏଏନ୍ଏମ୍ କ୍ଲିନିକ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ଷମ ବିଭାଗଗୁଡ଼ିକୁ ବୁଲି ଦେଖିବା ସହ ସେବାର ମାନ ଯାଞ୍ଚ କରିଥିଲେ। ଏହି ଅବସରରେ ମିଶନ ନିର୍ଦ୍ଦେଶକ ଉପ-କେନ୍ଦ୍ରରେ କାର୍ଯ୍ୟରତ କମ୍ୟୁନିଟି ହେଲ୍ଥ ଅଫିସର, ଏଏନ୍ଏମ୍, ଆଶାକର୍ମୀ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ। ସେ ୧୨ଟି ପ୍ୟାକେଜ୍ ବିଶିଷ୍ଟ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟସେବାର ସଫଳ କାର୍ଯ୍ୟକାରିତା, ଜରୁରୀକାଳୀନ ଔଷଧର ଉପଲବ୍ଧତା, ରୋଗ ନିରୂପଣ ଓ ପରୀକ୍ଷା ବ୍ୟବସ୍ଥା, ବିଭିନ୍ନ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଅଗ୍ରଗତି, ନଥିପତ୍ର ଓ ରେକର୍ଡ ସଂରକ୍ଷଣ ଏବଂ ରୋଗୀସେବାର ଗୁଣବତ୍ତା ସମ୍ପର୍କରେ ପଚାରି ବୁଝିଥିଲେ। ରଘୁନାଥପାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉପ-କେନ୍ଦ୍ରର ସାମଗ୍ରିକ କାର୍ଯ୍ୟକାରିତା, ସ୍ୱଚ୍ଛତା ଏବଂ ଗ୍ରାମାଞ୍ଚଳର ନାଗରିକମାନଙ୍କୁ ଦିଆଯାଉଥିବା ସ୍ୱାସ୍ଥ୍ୟସେବାକୁ ନେଇ ମିଶନ ନିର୍ଦ୍ଦେଶକ ସନ୍ତୋଷ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟକର୍ମୀମାନଙ୍କ ନିଷ୍ଠାପର ସେବା ପ୍ରଚେଷ୍ଟାକୁ ମଧ୍ୟ ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ