କୋଲାବିରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଓଡ଼ିଶା ଜାତୀୟ ସ୍ଵାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ
NHM director visit kolabira hospital
NHM director


ଝାରସୁଗୁଡ଼ା, ୩୦ ଜୁଲାଇ (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ସ୍ୱାସ୍ଥ୍ୟସେବାର ସମୀକ୍ଷା କ୍ରମରେ ଓଡ଼ିଶା ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକ ଡଃ. ବୃନ୍ଦା ଡି କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ପରିଦର୍ଶନ ସମୟରେ ସେ ଔଷଧ ବିତରଣ କେନ୍ଦ୍ର, ବହିର୍ବିଭାଗ, ଅନ୍ତର୍ବିଭାଗ, ଲାବୋରେଟୋରୀ, ପ୍ରସୂତି ଗୃହ ଏବଂ ଅନ୍ୟାନ୍ୟ ରୋଗୀସେବା ଆବଶ୍ୟକ କ୍ଷେତ୍ରଗୁଡ଼ିକର ତଦାରଖ କରିଥିଲେ। ଏହାସହ ସିଏଚ୍ସିର ସୁପରିଣ୍ଟେଣ୍ଡେଣ୍ଟ, ବିପିଏଚ୍ଓ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହ ସ୍ୱାସ୍ଥ୍ୟସେବା ଯୋଗାଣ, ଭିତ୍ତିଭୂମିର ବିକାଶ ଓ ଗୁଣାତ୍ମକ ମାନ ବୃଦ୍ଧି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୀକ୍ଷା ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନିର୍ଦ୍ଦେଶକଙ୍କ ନଜରକୁ ଆସିଥିଲା, ଯାହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଔଷଧ ବିତରଣ କେନ୍ଦ୍ରରେ ପ୍ରକୃତ ଷ୍ଟକ୍ ଏବଂ ଷ୍ଟକ୍ ରେଜିଷ୍ଟର, ଜରୁରୀ ଔଷଧ ତାଲିକା ଅନୁସାରେ ଔଷଧର ଅଭାବ, ଡାକ୍ତରଖାନାରେ ପରିଷ୍କାର-ପରିଚ୍ଛନ୍ନତାର ଅଭାବ ଏବଂ ରେକର୍ଡ ରକ୍ଷଣାବେକ୍ଷଣରେ ତ୍ରୁଟି ଦେଖିବାକୁ ମିଳିଥିଲା। ବିଶେଷ କରି ସିଏଚ୍ସିରେ ଆଉଟ୍ଡୋର୍ ରୋଗୀ ସଂଖ୍ୟା କମ୍ ରହିବା ଏବଂ ଆବଶ୍ୟକ ଭିତ୍ତିଭୂମି ଥାଇ ମଧ୍ୟ ପ୍ରସୂତି ସେବା ବନ୍ଦ ରହିବା ଉପରେ ସେ ଗଭୀର ଚିନ୍ତା ପ୍ରକଟ କରିଥିଲେ। ଏହି ପ୍ରସୂତି ସେବାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ସଂକ୍ରମଣ ନିୟନ୍ତ୍ରଣ ପ୍ରକ୍ରିୟାକୁ ସୁଦୃଢ଼ କରିବା, ନିଦାନ ସେବାକୁ ସଠିକ୍ ଭାବେ ବ୍ୟବହାର କରିବା ଏବଂ ରୋଗୀଙ୍କ ସୁବିଧା ପାଇଁ ସୂଚନା ଫଳକ ଓ ସାଇନ୍ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande