
ଭବାନୀପାଟଣା, ୩୦ ଜୁଲାଇ (ହି.ସ.)- ରାଜ୍ୟ ସଙ୍ଗଠନର ମାର୍ଗଦର୍ଶିକା ଅନୁଯାୟୀ ନିଖିଳ ଓଡ଼ିଶା ସମ୍ପ୍ରସାରଣ ଅଧିକାରୀ ମହାସଂଘର କଳାହାଣ୍ଡି ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ସଫଳତାର ସହ ଶେଷ ହୋଇଯାଇଛି। ବୈଠକରେ ସଙ୍ଗଠନର ୫ ଦଫା ମୁଖ୍ୟ ଦାବି ଯଥା— ପ୍ରାରମ୍ଭିକ ପେ-ଲେଭଲ୍୧୦କୁ ବୃଦ୍ଧି, ସରକାରୀ ଗାଡ଼ି ସୁବିଧା, ବିଡିଓ ପଦବୀରେ ୫୦ ପ୍ରତିଶତ ସଂରକ୍ଷଣ, ସ୍ୱାସ୍ଥ୍ୟ ବୀମା ଏବଂ ସହଯୋଗୀ କର୍ମଚାରୀ ନିଯୁକ୍ତି ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଆଗାମୀ ଅଗଷ୍ଟ ୫ ଓ ୬ ତାରିଖରେ ଯଥାକ୍ରମେ ବ୍ଲକ ଓ ଜିଲ୍ଲା ସ୍ତରରେ ଦାବିପତ୍ର ପ୍ରଦାନ କରାଯିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।
ଏହି ବୈଠକରେ ସର୍ବସମ୍ମତି କ୍ରମେ ଆଗାମୀ କାର୍ଯ୍ୟକାଳ ପାଇଁ ୫ ଜଣିଆ ନୂତନ ଜିଲ୍ଲା କର୍ମକର୍ତ୍ତା ଚୟନ କରାଯାଇଛି। ସେମାନେ ହେଲେ ଜିଲ୍ଲା ସଭାପତି ଗଣପତି ତାଣ୍ଡି, ଜିଲ୍ଲା ଉପସଭାପତି ହିମାଂଶୁ ରଞ୍ଜନ ବଳ, ଜିଲ୍ଲା ସାଧାରଣ ସମ୍ପାଦକ ଅରବିନ୍ଦ ମହାପାତ୍ର, ଜିଲ୍ଲା ଯୁଗ୍ମ ସମ୍ପାଦକ ଲକ୍ଷ୍ମୀକାନ୍ତ ପ୍ରଧାନ, ଜିଲ୍ଲା କୋଷାଧ୍ୟକ୍ଷ ଶୁଭଜିତ ରଞ୍ଜନ ସ୍ୱାଇଁ।
ଏହି ବୈଠକରେ ଜିଲ୍ଲାର ବହୁ ସଂଖ୍ୟକ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ , ଗ୍ରାମ ପଞ୍ଚาୟତ ଉନ୍ନୟନ ଅଧିକାରୀ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଯୋଗାଣ ନିରୀକ୍ଷକ କ୍ୟାଡରର ସମ୍ପ୍ରସାରଣ ଅଧିକାରୀମାନେ ଉପସ୍ଥିତ ରହି ନିଜର ହକ ପାଇଁ ଏକଜୁଟ ହୋଇ ଲଢ଼େଇ କରିବାକୁ ସଂକଳ୍ପ ନେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ