




ସମ୍ବଲପୁର, ୩୦ ଜୁଲାଇ (ହି.ସ.)- ସମ୍ବଲପୁରରେ ରାଜ୍ୟସ୍ତରୀୟ
ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖରେ ପ୍ରତିବର୍ଷ ସମ୍ବଲପୁରୀ ଦିନ୍ ଭାବେ ପାଳିତ ହୋଇଆସୁଛି । ଚଳିତ ବର୍ଷ ସମ୍ବଲପୁରରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଗୁରୁବାର ଦିନ ଆହୂତ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ଆରମ୍ଭ ହୋଇଥିବା ସମ୍ବଲପୁରୀ ଦିନ୍ ପ୍ରତି ଲୋକଙ୍କର ଆହୁରି ଭବ୍ୟ ଏବଂ ଜନାଦୃତ ବୃଦ୍ଧି ହେବାକୁ ବସିଛି। ଚଳିତ ବର୍ଷ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଦୁଇ ଦିନିଆ ୧୪ ତମ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ୍ ଆୟୋଜନ ପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଅଗଷ୍ଟ ଏକ ତାରିଖ ସକାଳ ୮ଟା ବେଳେ ସମ୍ବଲପୁରୀ ଡେରାରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ମାଲ୍ୟାର୍ପଣ କରାଯିବ । ଏହାପରେ ପ୍ରତିବର୍ଷ ଭଳି ସମ୍ବଲପୁରୀ କବିତା ପାଠ କାର୍ଯ୍ୟକ୍ରମ ସମ୍ବଲପୁରୀ ଦିନ୍ ମଞ୍ଚରେ ଅନୁଷ୍ଠିତ ହେବ । ସମ୍ବଲପୁରୀ ଦିନ୍ ପାଇଁ ପ୍ରତିବର୍ଷ ପଶ୍ଚିମାଞ୍ଚଳ ଏକତା ମଞ୍ଚ ନୂତନ ଲକ୍ଷ୍ୟ ସ୍ଥିର କରୁଥିବା ବେଳେ ଆଗାମୀ ବର୍ଷରେ ସମ୍ବଲପୁରୀ ଦିନ ପାଇଁ ସମ୍ବଲପୁରୀ ଡେରା ସମ୍ବଲପୁରୀ ସଂସ୍କୃତିର ସଂରକ୍ଷଣ, ଗବେଷଣା, ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ ପାଇଁ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ବିଗତ୧୪ ବର୍ଷ ମଧ୍ୟରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ସ୍ମୃତି ରକ୍ଷା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ କରାଯାଉଥିବା ସମସ୍ତ ପ୍ରୟାସ ପୂର୍ବାବତ୍ ଆଗକୁ ମଧ୍ୟ ଜାରି ରଖିବ ବୋଲି ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ପଶ୍ଚିମାଞ୍ଚଳ ଏକତା ମଞ୍ଚର ଭାଷା ସାହିତ୍ୟ ସଂଯୋଜକ ଡ. ସ୍ବୟଂ ପ୍ରକାଶ ପଣ୍ଡା ୫୦ ଜଣ ଆମନ୍ତ୍ରିତ କବିଙ୍କୁ ନେଇ ପୂର୍ବାହ୍ନରେ କବିତାପାଠ କରାଯିବା ନେଇ ସୂଚନା ଦେଇଥିଲେ । ସେହିପରି ଅଗଷ୍ଟ ଏକ ତାରିଖ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଦଳ ଗୁଡ଼ିକ ପକ୍ଷରୁ ୧୦ ଟି ଶୈଳୀରେ ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରିବା ନେଇ ସାଂସ୍କୃତିକ ସଂଯୋଜକ ଦଶରଥ ମେହେର ସୂଚନା ଦେଇଥିଲେ । ଚଳିତ ବର୍ଷ ପ୍ରତିଷ୍ଠିତ ଗାୟକ ପଙ୍କଜ ଜାଲ, ଇଶ୍ଵରୀ ବେହେରା, ମାନସୀ ପାଣିଗ୍ରାହୀ, ମାନସ ଷଡ଼ଙ୍ଗୀ, ଆକାଶ ପଟ୍ଟନାୟକ, ଡଲି ସାହୁ ପ୍ରମୁଖ ଲୋକ ସଙ୍ଗୀତ ପରିବେଷଣ କରିବେ। ତେବେ ଚଳିତ ବର୍ଷ ଅଗଷ୍ଟ ଏକ ତାରିଖରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମରେ କେବଳ ସମ୍ବଲପୁରୀ ଲୋକନୃତ୍ୟ ଏବଂ ଲୋକ ସଙ୍ଗୀତ ପରିବେଷଣ କରାଯିବା ନେଇ ଗୁରୁ ରଞ୍ଜିତ ସାହୁ ସୂଚନା ଦେଇଛନ୍ତି । ଅଗଷ୍ଟ ଏକ ତାରିଖରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମରେ ଯୋଗଦେବାକୁ ସହମତି ପ୍ରକାଶ କରିଥିବା ନେଇ ସମ୍ବଲପୁରୀ ଦିନର ସଂଯୋଜକ ଡ. ପ୍ରମୋଦ ରଥ ଆଜିର ସମ୍ମିଳନୀରେ ସୂଚନା ଦେଇଛନ୍ତି । ସମ୍ବଲପୁରୀ ଲୋକ-ସଂଗୀତକୁ ଉଚ୍ଚ ସୋପାନରେ ପହଞ୍ଚାଇଥିବା ଶଙ୍କର ପ୍ରସାଦ ଦତ୍ତଙ୍କୁ ଆଗାମୀ ଅଗଷ୍ଟ ଏକ ତାରିଖରେ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ୍ ରେ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଜାତୀୟ ସମ୍ମାନିତ କରାଯିବ ବୋଲି ମଞ୍ଚର ଆବାହକ ଭବାନୀଶ ଭୋଇ ସୂଚନା ଦେଇଥିଲେ।
ଦୁଇ ଦିନ ପର୍ଯ୍ୟନ୍ତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ବିଭିନ୍ନ ରକମର ସମ୍ବଲପୁରୀ ଖାଦ୍ୟ ଏବଂ କପଡାର ଷ୍ଟଲର ବ୍ୟବସ୍ଥା କରାଯାଇଛି । ଜୁଲାଇ ୩୧ ତାରିଖରେ ସମ୍ବଲପୁରୀ ଡେରା ପରିସରରେ ସମ୍ବଲପୁରୀ କପଡା ବଜାରର ଆୟୋଜନ କରାଯିବ । ସେହିପରି ଦ୍ବିତୀୟ ଦିନ ସକାଳେ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯିବ । ଅପରାହ୍ନରେ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ମଞ୍ଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ