
ନୂଆଦିଲ୍ଲୀ, ୩୦ ଜୁଲାଇ(ହି.ସ.)- ଦିଲ୍ଲୀ-ଏନ୍ସିଆର୍ରେ ଧାନ ଅମଳ ଋତୁରେ ପ୍ରତିବର୍ଷ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବାୟୁ ଗୁଣବତା ପରିଚାଳନା ଆୟୋଗ(ସିଏକ୍ୟୁଏମ୍) ନଡ଼ା ପୋଡ଼ିବାର ଘଟଣା ଉପରେ ନଜର ରଖିବା ପାଇଁ ଡ୍ରୋନ ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ଧାନ ଅମଳ ଋତୁ ପୂର୍ବରୁ ଡ୍ରୋନ୍ ଆଧାରିତ ତଦାରଖ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଆୟୋଗ ପଞ୍ଜାବ, ହରିୟାଣା, ଉତର ପ୍ରଦେଶ ଏବଂ ରାଜସ୍ଥାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସିଏକ୍ୟୁଏମ୍ ଗୁରୁବାର ଦିନ ଏକ ବିବୃତିରେ କହିଛି ଯେ ଦ୍ରୁତ ନିୟୋଜନ, ଉଚ୍ଚ-ଗୁଣବତା ଚିତ୍ର ଏବଂ ରିଅଲ୍ ଟାଇମ୍ ଭିଡିଓ ମାଧ୍ୟମରେ ନଡ଼ାପୋଡ଼ି ଘଟଣା ଚିହ୍ନଟ କରିବାରେ ଡ୍ରୋନ୍ ସାହାଯ୍ୟ କରିବ। ଏହା ଜ୍ୱଳନ୍ତ ନିଆଁ, ଧୂଆଁ ଏବଂ ପ୍ରଭାବିତ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବାରେ ସକ୍ଷମ ହେବ।
ଡ୍ରୋନ୍ରୁ ମିଳିଥିବା ଜିଓ-ଟ୍ୟାଗ ହୋଇଥିବା ଫଟୋ ଏବଂ ଭିଡିଓ କାର୍ଯ୍ୟାନୁଷ୍ଠାନ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବରେ ବ୍ୟବହୃତ ହୋଇପାରିବ। ଡ୍ରୋନ୍ ସର୍ବେକ୍ଷଣରେ ଧାନ ଚାଷ କ୍ଷେତ୍ର, ପୂର୍ବରୁ ଚିହ୍ନଟ ହୋଇଥିବା ହଟସ୍ପଟ୍ ଗ୍ରାମ ଏବଂ ଅଗ୍ନି ପ୍ରବଣ ଅଂଚଳକୁ ପ୍ରାଥମିକତା ଦେବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଭାବିତ କ୍ଷେତଗୁଡ଼ିକୁ ଚିହ୍ନଟ କରିବା ପାଇଁ ଡ୍ରୋନ୍ ଉଡ଼ାଣ ଯୋଜନାକୁ ଆଗୁଆ ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକୁ ଜମି ରେକର୍ଡ଼ ସହ ଯୋଡ଼ିବା ପାଇଁ ରାଜ୍ୟଗୁଡ଼ିକୁ କୁହାଯାଇଛି। ସିଏକ୍ୟୁଏମ୍ ଦର୍ଶାଇଛନ୍ତି ଯେ ଦିନ ସମୟରେ ଡ୍ରୋନ୍ ସର୍ଭେ କରାଯିବା ଉଚିତ, କିନ୍ତୁ ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଉଚିତ, କାରଣ ଉପଗ୍ରହ ନିରୀକ୍ଷଣକୁ ଏଡ଼ାଇବା ପାଇଁ ଏହି ସମୟରେ ନଡ଼ା ପୋଡ଼ିବାର ଘଟଣା ରିପୋର୍ଟ କରାଯାଇଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି