
- ମହିଳା ଅଧିକାରୀମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିବାର ଅଭିଜ୍ଞତା ବାଣ୍ଟିଛନ୍ତି
ନୂଆଦିଲ୍ଲୀ, ଜୁଲାଇ 30 (ହି.ସ): ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ତିନୋଟି ସେନାବାହିନୀର ସେହି ନଅ ଜଣ ମହିଳା ଅଧିକାରୀଙ୍କୁ ସମ୍ମାନିତ କରିଛନ୍ତି, ଯେଉଁମାନେ ଭାରତୀୟ ସେନାର ପାଲତୋଳା ଜାହାଜ ଆଇଏଏସଭି ତ୍ରିବେଣୀରେ ଯାତ୍ରା କରି ପ୍ରଥମ ଥର ପାଇଁ ଚାରୋଟି ମହାସାଗର ପରିକ୍ରମା ସଫଳତାର ସହିତ ସମାପ୍ତ କରି ସ୍ୱଦେଶକୁ ଫେରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ପ୍ରାୟ ୨୫,୫୦୦ ନଟିକାଲ୍ ମାଇଲ୍ ଦୂରତା ଅତିକ୍ରମ କରି ୩୧୪ ଦିନର ଏହି ଯାତ୍ରା ସଫଳ କରିଥିବା ଦଳର ସାହସ, ଦୃଢ଼ ସଂକଳ୍ପ ଓ ଅଦମ୍ୟ ମନୋବଳକୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଏହି ‘ସମୁଦ୍ର ପ୍ରଦକ୍ଷିଣା’ ନାରୀ ଶକ୍ତିର ଏକ ଉଜ୍ଜ୍ୱଳ ପ୍ରତୀକ ଏବଂ ତିନୋଟି ସେନାବାହିନୀ ମଧ୍ୟରେ ସମନ୍ୱୟର ଏକ ଉତ୍କୃଷ୍ଟ ଉଦାହରଣ, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ।
ମହିଳା ଅଧିକାରୀମାନେ ରାଜନାଥ ସିଂହଙ୍କ ସହ ନିଜ ଅନୁଭୂତି ବାଣ୍ଟି କହିଥିଲେ ଯେ, ଏହି ଅଭିଯାନ ସମୟରେ ପ୍ରତିକୂଳ ପାଗ ଓ କଠିନ ପରିସ୍ଥିତି ସେମାନଙ୍କ ଯାତ୍ରାକୁ ସ୍ମରଣୀୟ ଓ ଶିକ୍ଷାପ୍ରଦ କରିଥିଲା। ସେମାନେ କହିଥିଲେ ଯେ, ଦେଶ ପାଇଁ ଗର୍ବ ଆଣିବାର ଦୃଢ଼ ସଂକଳ୍ପ ସେମାନଙ୍କୁ ସଦା ପ୍ରେରିତ କରିଥିଲା, ଯାହା ଫଳରେ ସେମାନେ ବଡ଼ ବଡ଼ ଶାରୀରିକ ଓ ମାନସିକ ଚ୍ୟାଲେଞ୍ଜକୁ ସଫଳତାର ସହିତ ଅତିକ୍ରମ କରିପାରିଥିଲେ। ପ୍ରତିରକ୍ଷାମନ୍ତ୍ରୀ କହିଥିଲେ ଯେ, ସେମାନଙ୍କ ସଫଳତା ପ୍ରମାଣ କରେ ଯେ ଦୃଢ଼ ବିଶ୍ୱାସ ଓ ଅଟଳ ସଂକଳ୍ପ ଥିଲେ ଜୀବନର ଯେକୌଣସି ଲକ୍ଷ୍ୟ ହାସଲ କରାଯାଇପାରେ।
ମହିଳା ଅଧିକାରୀମାନଙ୍କ ଦକ୍ଷତା ଓ ଆତ୍ମବିଶ୍ୱାସକୁ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରି ରାଜନାଥ ସିଂହ କହିଥିଲେ ଯେ, ‘ସମୁଦ୍ର ପ୍ରଦକ୍ଷିଣା’ର ସଫଳ ସମାପ୍ତି ସେହି ପୁରୁଣା ଧାରଣାକୁ ଭାଙ୍ଗିଦେଇଛି, ଯେଉଁଥିରେ କୁହାଯାଉଥିଲା ଯେ ମହିଳାମାନେ କଠିନ ସାମରିକ ଅଭିଯାନ ସଫଳତାର ସହିତ ସମ୍ପନ୍ନ କରିପାରିବେ ନାହିଁ। ସେ ଅଧିକାରୀମାନଙ୍କୁ କହିଥିଲେ, “ଆପଣମାନେ ପ୍ରମାଣ କରିଦେଇଛନ୍ତି ଯେ ଶାରୀରିକ କ୍ଷମତା, ମାନସିକ ଦୃଢ଼ତା ଓ ନେତୃତ୍ୱ ଗୁଣ କୌଣସି ଲିଙ୍ଗ ଉପରେ ନିର୍ଭର କରେନାହିଁ। ଭାରତର ପ୍ରତ୍ୟେକ ଝିଅ ଆପଣମାନଙ୍କୁ ଦେଖି ବିଶ୍ୱାସ କରିପାରିବ ଯେ ସେ ମଧ୍ୟ ସମୁଦ୍ର ପାର କରି ବିଶ୍ୱକୁ ଜୟ କରିପାରିବ। ଏହି ଅଭିଯାନ ଏହାର ଜ୍ୱଳନ୍ତ ପ୍ରମାଣ ଯେ, ଆମେ ସମସ୍ତେ ଏକାଠି ହୋଇ ଆଗକୁ ବଢ଼ିଲେ କୌଣସି ଲକ୍ଷ୍ୟ ଅସମ୍ଭବ ନୁହେଁ।”
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା