
ବଲାଙ୍ଗିର, ୩୦ ଜୁଲାଇ (ହି.ସ.)- ବଲାଙ୍ଗିର ପ୍ରତିତପାବନ ଏକାଡେମୀର ପୂର୍ବତନ ପ୍ରଧାନଶିକ୍ଷକ ବାଙ୍କା ବିହାରୀ ପଣ୍ଡାଙ୍କର ଗତ ବୁଧବାର ରାତି ପ୍ରାୟ ୨ଟା ୪୫ମିନିଟ ସମୟରେ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ସେ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡ଼ିତ ଥିଲେ। ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ସ୍ୱର୍ଗତ ପଣ୍ଡା ଜଣେ ମେଳାପୀ, ମିଷ୍ଟଭାଷୀ, ସରଳ ସ୍ୱଭାବର ବ୍ୟକ୍ତି ତଥା ଛାତ୍ରବତ୍ସଳ ଶିକ୍ଷକ ଭାବେ ସମସ୍ତଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଆଜି ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ଶ୍ରୀ ପଣ୍ଡାଙ୍କ ବରପାଲିପଡା ସ୍ଥିତ ବାସଭବନରେ ବହୁ ଲୋକଙ୍କ ଭିଡ଼ ଜମିଥିଲା। ମୃତ୍ୟୁଶଯ୍ୟାରେ ତାଙ୍କର ତିନିପୁତ୍ର ଶ୍ରୀମନ୍ତ, ସୁଶାନ୍ତ ଓ ସୁଜିତ, ପୁତ୍ରବଧୂ, ନାତି ନାତି ନାତୁଣୀ ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ ।
ଦୀର୍ଘ ବର୍ଷର ଶିକ୍ଷକତା ଜୀବନ ମଧ୍ୟରେ ସେ ଶିକ୍ଷାସେବାକୁ ବୃତ୍ତି ନହେଁ ବ୍ରତ ଭାବରେ ଗ୍ରହଣ କରିଥିଲେ। ଏକଦା ଅନୁଶାସନ, ସମୟାନୁବର୍ତ୍ତିତା ଓ ଶିକ୍ଷାର୍ଥୀର ଚରିତ୍ର ଗଠନକୁ ସବୁବେଳେ ପ୍ରାଥମିକତା ଦେଇ ଆସୁଥିବା ଶିକ୍ଷାନୁଷ୍ଠାନ ପତିତପାବନ ଏକାଡେମୀର ଜଣେ ଶିକ୍ଷକ ଭାବରେ ଓ ପରବର୍ତ୍ତୀ ସମୟରେ ଜଣେ ପ୍ରଧାନ ଶିକ୍ଷକ ଭାବରେ ସମସ୍ତଙ୍କ ପ୍ରିୟ ଓ ପୂଜ୍ୟ ବଙ୍କା ଆଜ୍ଞା ଅଗଣିତ ଛାତ୍ର ମାନଙ୍କ ହୃଦୟରେ ଏକ ଅଲିଭା ସ୍ଵାକ୍ଷର ଛାଡି ଚାଲି ଯାଇଛନ୍ତି। ୧୯୭୧ ମସିହାରେ ପି.ପି. ଏକାଡେମୀରେ ନିଜର ଶିକ୍ଷକତା ଜୀଵନ ଆରମ୍ଭ କରିଥିବା ଶ୍ରୀ ପଣ୍ଡା ୨୦୦୭ ମସିହାରେ ଶିକ୍ଷକତାରୁ ଅବସର ନେଇଥିଲେ। ତାଙ୍କ ଆବର୍ତମାନରେ ତାଙ୍କୁ ଝୁରି ହେଉଛି ତାଙ୍କର କର୍ମମୟ ଜୀବନର ମୂକସାକ୍ଷୀ ପତିତପାବନ ଏକାଡେମୀ। ଶିକ୍ଷକତା ଜୀବନରେ ଅନେକ ସଫଳ ମଣିଷ ଗଢିଥିବା ବାଙ୍କା ଆଜ୍ଞାଙ୍କ ପରଲୋକରେ ୧୯୮୯ ପି.ପି. ଏକାଡେମୀ ମେଟ୍ରିକ ବ୍ୟାଚ ର ପୂରାତନ ଶିକ୍ଷାର୍ଥୀ ମାନଙ୍କ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ପ୍ରତୀତପାବନ ଏକାଡେମୀରେ ଦୀର୍ଘ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ସେ ଉନ୍ନତମାନର ଶିକ୍ଷା ପ୍ରଦାନ ଏବଂ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ।
ତାଙ୍କ ବିୟୋଗରେ ପୂର୍ବତନ ଛାତ୍ରଛାତ୍ରୀ, ସହକର୍ମୀ, ଶିକ୍ଷାବିତ୍ ଓ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ