
ବଲାଙ୍ଗିର, ୩୦ ଜୁଲାଇ (ହି.ସ.)- ବଲାଙ୍ଗିର ଜିଲ୍ଲାର ଧୁମାଭଟା ପଞ୍ଚାୟତରେ ଲଗାଣ ବର୍ଷା ଯୋଗୁଁ ଜଳବନ୍ଦୀ ହୋଇପଡ଼ିଥିଲେ ଏକ ଗାଁର ୫ଟି ପରିବାର । ବର୍ଷା ପାଣି ଘର ଭିତରକୁ ପଶିଯିବାରୁ ସେମାନେ ବାହାରକୁ ଆସିପାରୁନଥିଲେ । ଏହି ଖବର ପାଇବାମାତ୍ରେ ଧୁମାଭଟା ସରପଞ୍ଚ ବନମାଳୀ ନାଏକ ଅଗ୍ନିଶମ ବିଭାଗ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଜେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ଅଣ୍ଟାଏରୁ ଅଧିକ ପାଣିରେ ପଶି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ସମସ୍ତ ୫ ପରିବାରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସରପଞ୍ଚ ବନମାଳୀ ନାଏକଙ୍କ ଏହି ସାହସିକ ଓ ମାନବିକ ପଦକ୍ଷେପକୁ ନେଇ ଏବେ ସବୁଠି ପ୍ରଶଂସା ହେଉଛି । ସ୍ଥାନୀୟ ଲୋକଙ୍କ କହିବା କଥା— “ସରପଞ୍ଚ ହେବ ତ ଏମିତି” ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ