
ଝାରସୁଗୁଡା, ୩୦ ଜୁଲାଇ (ହି.ସ.)- ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନୀ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ନିର୍ବାଚନୀ ତାଲିକା ସଂଶୋଧନ ପ୍ରକ୍ରିୟା, ଯୋଗ୍ୟ ଭୋଟରଙ୍କ ନାମ ସଂଯୋଜନ, ତ୍ରୁଟି ସଂଶୋଧନ, ନାମ ବିଲୋପ, ସ୍ଥାନାନ୍ତରଣ ସମ୍ବନ୍ଧୀୟ ଆବେଦନ ଏବଂ ଏସ୍ଆଇଆର୍ ସମୟରେ କାର୍ଯ୍ୟକର୍ତ୍ତାଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପ୍ରଶିକ୍ଷଣ ଶିବିରରେ ପିସିସି ପକ୍ଷରୁ ସୁଧୀର ପଣ୍ଡା, ବିଏଲ୍ଏ–୧ ଅମିତା ବିଶ୍ୱାଳ ଏବଂ ଜିଲ୍ଲା ସଭାପତି ଜୀବନ ସାର୍ଥକ ଉପସ୍ଥିତ ରହି ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ସମସ୍ତ ବିଏଲ୍ଏ–୨ଙ୍କୁ ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଅବଗତ କରାଇଥିଲେ।
ବକ୍ତାମାନେ କହିଥିଲେ ଯେ, ଗଣତନ୍ତ୍ରରେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହେବା ଅତ୍ୟନ୍ତ ଜରୁରୀ। ସେଥିପାଇଁ କାର୍ଯ୍ୟକର୍ତ୍ତାମାନେ ଘରେ ଘରେ ପହଞ୍ଚି ସଚେତନତା ସୃଷ୍ଟି କରିବା ସହ ଯୋଗ୍ୟ ଭୋଟରଙ୍କୁ ଆବେଦନ ପ୍ରକ୍ରିୟାରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ।
ଏହି ଶିବିରରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳର ସଂଗଠନର ପଦାଧିକାରୀ, ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା, ବିଏଲଏ –୨ ଏବଂ ସକ୍ରିୟ ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗଦେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ଶେଷରେ ଆଗାମୀ ଦିନରେ ଏସ୍ଆଇଆର୍ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ