
ହରିଦ୍ୱାର, ୩୦ ଜୁଲାଇ (ହି.ସ.)- ଶ୍ରାବଣ ମାସର ଆରମ୍ଭ ସହ ଧର୍ମନଗରୀ ହରିଦ୍ୱାରରେ ଗୁରୁବାରଠାରୁ ବିଶ୍ୱପ୍ରସିଦ୍ଧ କାଁୱଡ଼ ମେଳା-୨୦୨୬ର ବିଧିବଦ୍ଧ ଶୁଭାରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ହିଁ ବହୁ ସଂଖ୍ୟାରେ ଶିବଭକ୍ତମାନେ ବୋଲ ବମ୍ ଏବଂ ହର-ହର ମହାଦେବର ଜୟଧ୍ୱନି ସହ ହରକି ପୌଡ଼ୀରୁ ଗଙ୍ଗାଜଳ ଭରି ନିଜ ଗନ୍ତବ୍ୟ ସ୍ଥାନକୁ ବାହାରି ଯାଇଥିଲେ।
ଏହି ବର୍ଷ ମେଳାରେ ପ୍ରାୟ ୫ କୋଟି କାଁୱଡ଼ିଆଙ୍କ ପହଂଚିବାର ଆକଳନ କରାଯାଇଛି, ଯାହାକୁ ଦୃଷ୍ଟିରେ ରଖି ଶାସନ-ପ୍ରଶାସନ ସୁରକ୍ଷା ଓ ସୁବିଧାର ବ୍ୟବସ୍ଥା କରିଛି।
ସମଗ୍ର କାଁୱଡ଼ ମେଳା କ୍ଷେତ୍ରକୁ ୧୮ଟି ସୁପର ଜୋନ୍, ୪୦ଟି ଜୋନ୍ ଏବଂ ୧୪୧ଟି ସେକ୍ଟରରେ ବିଭକ୍ତ କରି ଅଧିକାରୀମାନଙ୍କୁ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ୬ ହଜାର ପୁଲିସ କର୍ମଚାରୀ, ୧୩ କମ୍ପାନୀ ଅର୍ଦ୍ଧସାମରିକ ବଳ, ପିଏସି, ଡଗ୍ ସ୍କ୍ୱାଡ୍ ଏବଂ ବୋମା ନିରୋଧକ ଦଳ (ବିଡିଏସ୍) ନିରନ୍ତର ନିରୀକ୍ଷଣ ଓ ଯାଂଚରେ ନିୟୋଜିତ ଅଛନ୍ତି।
ମେଳାକୁ ଦୃଷ୍ଟିରେ ରଖି କାଁୱଡ଼ ପଟରୀ ମାର୍ଗକୁ ସୁଚାରୁ କରାଯାଇଛି। ବର୍ତମାନ ପଦଯାତ୍ରୀ କାଁୱଡ଼ିଆମାନଙ୍କ ଯାତାୟାତ ଆରମ୍ଭ ହୋଇଯାଇଛି, ଯେତେବେଳେ ମହାଶିବରାତ୍ରି ନିକଟତର ହେବା ସହିତ ଡାକ କାଁୱଡ଼ର ଚାପ ବଢ଼ିବ। ଲକ୍ଷାଧିକ ଯାନବାହନର ଯାତାୟାତକୁ ଦୃଷ୍ଟିରେ ରଖି ଅସ୍ଥାୟୀ ପାର୍କିଂ ସ୍ଥଳ ତିଆରି କରାଯାଇଛି ଏବଂ ବିଶେଷ ଟ୍ରାଫିକ୍ ଡାଇଭର୍ସନ୍ ଯୋଜନା କାର୍ଯ୍ୟକାରୀ କରାଯାଇଛି।
କାଁୱଡ଼ ମେଳାକୁ ଦୃଷ୍ଟିରେ ରଖି ୩୦ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ହରିଦ୍ୱାର ଜିଲ୍ଲାର ସମସ୍ତ ବିଦ୍ୟାଳୟ ଏବଂ ଆଙ୍ଗନବାଡ଼ି କେନ୍ଦ୍ରରେ ଛୁଟି ଘୋଷଣା କରାଯାଇଛି।
ସୋସିଆଲ ମିଡିଆରେ ଭ୍ରମାତ୍ମକ ପୋଷ୍ଟ ଉପରେ ରୋକ ଲଗାଇବା ପାଇଁ ସାଇବର କମାଣ୍ଡୋ ଏବଂ ସାଇବର ସେଲର ବିଶେଷ ଦଳ ୨୪ ଘଂଟି ନିରୀକ୍ଷଣ କରିବେ। ଆପତିଜନକ କିମ୍ବା ଉତେଜନାମୂଳକ ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ହରିଦ୍ୱାର ପୁଲିସ ଶ୍ରଦ୍ଧାଳୁମାନଙ୍କ ପାଇଁ ବିଶେଷ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରିଛି। ଜୁଗାଡ଼ ଯାନ, ରେଟ୍ରୋ ସାଇଲେନ୍ସର, ଅସ୍ତ୍ର ସଦୃଶ ବସ୍ତୁ ଏବଂ ନିଶାଗ୍ରସ୍ତ ଅବସ୍ଥାରେ ଯାତ୍ରା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ରହିବ। ପଦଯାତ୍ରୀ କାଁୱଡ଼ର ଉଚ୍ଚତା ୬ ଫୁଟ୍ ଏବଂ ଝାଙ୍କିର ଉଚ୍ଚତା ୧୦ ଫୁଟ୍ରୁ ଅଧିକ ହେବ ନାହିଁ। ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ପାଇଁ ବୈଧ ପରିଚୟପତ୍ର ସାଙ୍ଗରେ ରଖିବା ବାଧ୍ୟତାମୂଳକ କରାଯାଇଛି।
-----------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ