



ପୁରୀ, ୩୦ ଜୁଲାଇ (ହି.ସ.)- ଜମି ଚିହ୍ନଟ ଓ ମାପ କରିବା ପାଇଁ ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ର ଜୁନିୟର କ୍ଲର୍କ ( ରେକର୍ଡ କିପର) ନରେନ୍ଦ୍ର କୁମାର ସାହୁ ଓ ଡ୍ରାଇଭର ଜିତେନ୍ଦ୍ର କୁମାର ସାହୁ ଜଣେ ଦରଖାସ୍ତକାରୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ଵର ଭିଜିଲାନ୍ସ ଜାଲରେ ପଡିଛନ୍ତି । କିଛିଦିନ ପୂର୍ବରୁ ନରେନ୍ଦ୍ର କୁମାର ଡିମାର୍କକେଶନ ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଇଥିଲେ । କୌଣସି କାମ କରିନଥିଲେ କି ଜମି ମାପ ସମ୍ପର୍କରେ କୌଣସି କାଗଜପତ୍ର ଦେଇନଥିଲେ । ଦରଖାସ୍ତକାରୀଙ୍କୁ ପୁଣି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ଦରଖାସ୍ତକାରୀ ଭିଜିଲାନ୍ସ ନିକଟରେ ଜଣାଇଥିଲେ । ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ଭିତରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲା । ଏ ସମ୍ପର୍କରେ ଭୁବନେଶ୍ଵର ଭିଜିଲାନ୍ସ ଥାନା କେଶ ନମ୍ବର ୧୭/୨୬ରେ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛନ୍ତି । ପୂର୍ବରୁ ଚାଷ ଜମିକୁ ଘରବାରି ଜମି କରିବା ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଥିଲେ । ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ