
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସତର୍କ କରିଛନ୍ତି। ସେ କହିଛନ୍ତି ଆଜି ରାତି ଓ କାଲି ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଗୁରୁବାର ମଧ୍ୟାହ୍ନ ସୁଦ୍ଧା ମୁଣ୍ଡଳୀରେ ୮ ଲକ୍ଷ ୨୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ଦେଇ ସାଢ଼େ ୯ ଲକ୍ଷ କ୍ୟୁସେକ୍ ଜଳ ଯିବ। ଏହା ଚଳିତ ସିଜିନର ସବୁଠାରୁ ବଡ଼ ବନ୍ୟା ବୋଲି କୁହାଯାଇ ପାରିବ। ଫଳରେ ମହାନଦୀର ଶାଖା ନଦୀଗୁଡ଼ିକରେ ବନ୍ୟା ଆସିବ। ଲୁଣା, କରାଣ୍ଡିଆ, ଚିତ୍ରତ୍ପୋଳା, ପାଇକା, ଦେବୀ ନଦୀରେ ବନ୍ୟା ଆସିପାରେ। କନ୍ଦଳ, କୁଶଭଦ୍ରା, ଭାର୍ଗବୀ, ଦୟା ନଦୀରେ ମଧ୍ୟ ଜଳସ୍ତର ବଢ଼ିବ। ବନ୍ୟାରେ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ। ଜଗତସିଂହପୁରର ବାଲିକୁଦା, ଏରସମା, କୁଜଙ୍ଗ, ତିର୍ତୋଲ ପ୍ରଭାବିତ ହେବ। କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର, ଆଳି ମଧ୍ୟ ପ୍ରଭାବିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା