
ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ; ୨୪ ଘଂଟିଆ କେଂଟ୍ରାଲ୍ ରୁମ୍
ଭୁବନେଶ୍ୱର, ୩୦ ଜୁଲାଇ (ହି.ସ) - ରାଜ୍ୟର ବିଭିନ୍ନ ଅଂଚଳରେ, ବିଶେଷକରି ଉତର ଓଡ଼ିଶା ଏବଂ ବାଲେଶ୍ୱର , ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ଓ ଜଳ ବନ୍ଦି ସ୍ଥିତିର ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ୟାପକ ଓ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ସହରାଂଚଳରେ ଲୋକଙ୍କ ସୁରକ୍ଷା, ଜଳ ନିଷ୍କାସନ ଏବଂ ଆବଶ୍ୟକ ରିଲିଫ୍ ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।
ଡଃ ମହାପାତ୍ର କହିଛନ୍ତି ଯେ ପ୍ରବଳ ବର୍ଷା ଯୋଗୁଁ କେତେକ ସହରାଂଚଳରେ ସ୍ୱାଭାବିକ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଅତିରିକ୍ତ ଚାପ ସୃଷ୍ଟି ହେବାରୁ ଜଳବନ୍ଦୀ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ସହରାଂଚଳରେ ତୁରନ୍ତ ଜଳ ନିଷ୍କାସନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ସହ ସ୍ଥିତି ଉପରେ ୨୪ ଘଂଟିଆ ନଜର ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତମାନର ପରିସ୍ଥିତିକୁ ଗୁରୁତ୍ୱର ସହ ବିଚାର କରି ନଗର ଉନ୍ନୟନ ବିଭାଗ ଅଧୀନ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ଅଧିକାରୀ ୨୪ ଘଂଟିଆ ଆଲର୍ଟରେ ରହିବା ସହ ନିଜ ନିଜ ଅଂଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି । ବିଭାଗୀୟ କେଂଟ୍ରାଲ୍ ରୁମ୍ ଜରିଆରେ ବିଭିନ୍ନ ସହରାଂଚଳର ସ୍ଥିତିକୁ ନିୟମିତ ମନିଟରିଂ କରାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ତୁରନ୍ତ ସହାୟତା ପଠାଯାଉଛି ।
ଜଳମଗ୍ନ ଅଂଚଳଗୁଡ଼ିକରେ ଅତିରିକ୍ତ ପମ୍ପସେଟ୍ ନିୟୋଜନ କରି ଯୁଦ୍ଧକାଳୀନ ଭିତିରେ ଜଳ ନିଷ୍କାସନ କରାଯାଉଛି । ସହରାଂଚଳର ମୁଖ୍ୟ ରାସ୍ତା, ଆବାସିକ ଅଞ୍ଚଳ ଏବଂ ଅନ୍ୟାନ୍ୟ ଜଳମଗ୍ନ ସ୍ଥାନରୁ ଯଥାଶୀଘ୍ର ପାଣି ହଟାଇବା ପାଇଁ ୟୁଏଲ୍ ବି ଗୁଡ଼ିକରେ ଆବଶ୍ୟକ ଯନ୍ତ୍ରପାତି ଓ ମାନବ ସମ୍ବଳ ନିୟୋଜନ କରିବାକୁ କୁହାଯାଇଛି ।ଏଥିସହ ଡ୍ରେନ୍, କଲଭର୍ଟ ଓ ଜଳ ନିଷ୍କାସନ ପଥରେ ଯେଉଁଠାରେ ବାଧା ସୃଷ୍ଟି ହୋଇଛି, ସେଗୁଡ଼ିକୁ ତୁରନ୍ତ ସଫା କରିବା ଏବଂ ଜଳ ପ୍ରବାହକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ପ୍ରଭାବିତ ଅଂଚଳରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଶୁଦ୍ଧ ପାନୀୟ ଜଳ, ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଣ ସହ ଆଲୋକ ବ୍ୟବସ୍ଥା କରାଯାଉଛି। ଜନସାଧାରଣଙ୍କୁ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ୟୁ ଏଲ୍ ବି ଗୁଡ଼ିକୁ ସଜାଗ ରଖାଯାଇଛି ।
ଆବଶ୍ୟକ ସ୍ଥଳରେ ବିପଦସଙ୍କୁଳ ଓ ଅଧିକ ପ୍ରଭାବିତ ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖାଯାଉଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ବନ୍ୟା ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ନିରନ୍ତର ସମନ୍ୱୟ ରଖି ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ସହାୟତା ପହଂଚାଯାଉଛି ।
ପ୍ରତିବର୍ଷ ପ୍ରବଳ ବର୍ଷା ସମୟରେ କେତେକ ସହରାଂଚଳରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଏକ ଦୀର୍ଘମିଆଦୀ ଯୋଜନା ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟର ସମସ୍ତ ୟୁ ଏଲ୍ ବି ପାଇଁ ଏକ ସୁଦୃଢ଼ ‘ଷ୍ଟ୍ରଙ୍ଗ୍ ଡ୍ରେନେଜ୍ ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ କରାଯିବ ।
ଏହି ମାଷ୍ଟର ପ୍ଲାନ୍ ରେ ସହରାଂଚଳର ପ୍ରାକୃତିକ ଜଳ ପ୍ରବାହ, ଡ୍ରେନେଜ୍ ନେଟୱର୍କ, ଜଳ ଧାରଣ କ୍ଷମତା, ଅଧିକ ବର୍ଷା ସମୟରେ ଜଳ ପ୍ରବାହର ଚାପ, ନିଷ୍କାସନ ପଥ ଏବଂ ଭବିଷ୍ୟତର ସହରୀକରଣକୁ ବିଚାରକୁ ନିଆଯିବ । ଏହା ଆଧାରରେ ଆବଶ୍ୟକ ଡ୍ରେନ୍ ନିର୍ମାଣ, ପୁନରୁଦ୍ଧାର, ସମ୍ପ୍ରସାରଣ ଓ ଅନ୍ୟାନ୍ୟ ଆବଶ୍ୟକ ଭିତିଭୂମି ବିକାଶ ପାଇଁ ପ୍ରକଳ୍ପ ରିପୋର୍ଟ୍ ପ୍ରସ୍ତୁତ କରାଯାଇ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ ।
ଏହି ପଦକ୍ଷେପର ଲକ୍ଷ୍ୟ କେବଳ ବର୍ଷା ସମୟରେ ଜଳ ନିଷ୍କାସନ କରିବା ନୁହେଁ; ବରଂ ଭବିଷ୍ୟତରେ ସହରାଂଚଳକୁ ଅଧିକ ବନ୍ୟା-ପ୍ରତିରୋଧୀ ଓ ଜଳ ନିଷ୍କାସନ କରିବା ପାଇଁ ଏକ ଦୀର୍ଘସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା ଗଢ଼ି ତୋଳିବା ।
ରାଜ୍ୟ ସରକାର ଓ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏହି ଚ୍ୟାଲେଞ୍ଜିଂ ସମୟରେ ଜନସାଧାରଣଙ୍କ ସୁରକ୍ଷା ଓ ସୁବିଧା ପାଇଁ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି । ତୁରନ୍ତ ଜଳ ନିଷ୍କାସନ ଓ ରିଲିଫ୍ କାର୍ଯ୍ୟ ସହିତ ଦୀର୍ଘମିଆଦୀ ଓ ସ୍ଥାୟୀ ସମାଧାନ ଉପରେ ମଧ୍ୟ ସରକାର ସମାନ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ ଡଃ ମହାପାତ୍ର ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା