
ନୂଆପଡ଼ା/ଭୁବନେଶ୍ୱର, ୩୦ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲାର ଖରିଆର ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ନିକଟରେ ବଢ଼ୁଥିବା ବନ୍ୟାଜଳ ମଧ୍ୟରେ ଏକ ପୋଲଟ୍ରି ଫାର୍ମ ଘରର ଛାତ ଉପରେ ଫସି ରହିଥିବା ୮ ଜଣଙ୍କୁ ଅତ୍ୟନ୍ତ ସାହସିକତାର ସହ ସୁରକ୍ଷିତ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍।
ସୂଚନାଯୋଗ୍ୟ ଯେ, ବନ୍ୟାଜଳ ବଢ଼ିବା ସହ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ଚାରିପଟେ ବଢ଼ୁଥିବା ନଦୀଜଳ ମଧ୍ୟରେ ଫସିଥିବା ଲୋକଙ୍କ ପାଖରେ ପହଂଚିବା ଏକ କଠିନ ପରିସ୍ଥିତି ଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ତୁରନ୍ତ ଉଦ୍ଧାର ବ୍ୟବସ୍ଥା ଆରମ୍ଭ କରିଥିଲା।
ଅଗ୍ନିଶମ ସେବା ବାହିନୀ ପକ୍ଷରୁ ମଧ୍ୟ ଉଦ୍ଧାର ପାଇଁ ପ୍ରୟାସ କରାଯାଇଥିଲା। ତେବେ ବଢ଼ୁଥିବା ଜଳସ୍ତର, ପ୍ରବଳ ଜଳସ୍ରୋତ ଓ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଉଦ୍ଧାର କାର୍ଯ୍ୟ ଚ୍ୟାଲେଞ୍ଜିଂ ହୋଇଥିଲା। ଏପରି ସମୟରେ ଏସ୍ଆରସି ଟିମ୍ ଓ ନୂଆପଡ଼ା ଜିଲ୍ଲା ପ୍ରଶାସନର ରାତିସାରା ନିରନ୍ତର ସମନ୍ୱୟ, ନିରୀକ୍ଷଣ ଓ ତ୍ୱରିତ ପଦକ୍ଷେପ ମଧ୍ୟରେ ବଲାଙ୍ଗୀରରୁ ଏକ ସ୍ୱତନ୍ତ୍ର ଓଡ୍ରାଫ୍ ଟିମ୍ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା।
ଉଦ୍ଧାର କାର୍ଯ୍ୟ ସମୟରେ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଖରିଆର ବିଡିଓ, ଅତିରିକ୍ତ ତହସିଲଦାର, ଆଇଆଇସି ଏବଂ ଏସ୍ଡିପିଓଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ନିରନ୍ତର ତଦାରଖ କରିଥିଲେ। ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳ ରାତିସାରା କ୍ଷେତ୍ରରେ ସକ୍ରିୟ ରହିଥିଲେ।
ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଓଡ୍ରାଫ୍ ଟିମ୍ ରାତିସାରା ନିରନ୍ତର ପ୍ରୟାସ ଜାରି ରଖିଥିଲା। ସକାଳେ ଟିମ୍ ଘଟଣାସ୍ଥଳରେ ପହଂଚି ସଫଳତାର ସହ ଉଦ୍ଧାର ଅଭିଯାନ ସମ୍ପନ୍ନ କରିଥିଲା। ପୋଲଟ୍ରି ଫାର୍ମ ଘରର ଛାତ ଉପରେ ଫସି ରହିଥିବା ସମସ୍ତ ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିରାପଦ ସ୍ଥାନକୁ ନିଆଯାଇଥିଲା।
ଏହି ସଫଳ ଉଦ୍ଧାର ଅଭିଯାନ ଓଡ଼ିଶାର ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା, ତ୍ୱରିତ ପ୍ରତିକ୍ରିୟା ଏବଂ ଜନସୁରକ୍ଷା ପ୍ରତି ସରକାରଙ୍କ ପ୍ରତିବଦ୍ଧତାର ଏକ ଉଦାହରଣ। ଏସ୍ଆରସି, ନୂଆପଡ଼ା ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା ବାହିନୀ ଏବଂ ଓଡ୍ରାଫ୍ ଟିମ୍ ର ମଧ୍ୟରେ ଉତମ ସମନ୍ୱୟ ଯୋଗୁଁ ବିପଦରେ ଥିବା ଲୋକଙ୍କ ନିକଟରେ ସମୟୋପଯୋଗୀ ସହାୟତା ପହଂଚିପାରିଥିଲା।
ନିରନ୍ତର ନିରୀକ୍ଷଣ, ତ୍ୱରିତ ପଦକ୍ଷେପ ଏବଂ କ୍ଷେତ୍ରସ୍ତରରେ ସମନ୍ୱିତ କାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଲୋକଙ୍କ ନିକଟରେ ପହଂଚୁଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ଚବିଶ ଘଂଟିଆଭିତିରେ ପରିସ୍ଥିତି ଉପରେ ନଜର ରଖି ପ୍ରତ୍ୟେକଟି ନାଗରିକଙ୍କ ନିକଟରେ ପହଂଚିବା, ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସମୟୋପଯୋଗୀ ସହାୟତା ଯୋଗାଇବା ପାଇଁ ପ୍ରତିବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା