
ଭୁବନେଶ୍ୱର, 30 ଜୁଲାଇ (ହି.ସ.): ସମ୍ଭାବ୍ୟ
ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ
ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ
ବିଦ୍ୟାଳୟ ଆଜି ଓ ଆସନ୍ତାକାଲି (୩୦ ଓ ୩୧ ଜୁଲାଇ ୨୦୨୬) ବନ୍ଦ ରହିବା ନେଇ ଜିଲ୍ଲା ପ୍ରଶାସନ
ନିର୍ଦ୍ଦେଶ ଜାରି କରିଛି ।
ଜିଲ୍ଲାରେ ସମ୍ଭାବ୍ୟ
ବନ୍ୟାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବା ପାଇଁ ଜିଲ୍ଲାପାଳ ଶ୍ରୀ ଅମ୍ରିତ
ଋତୁରାଜ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ
ଉପସ୍ଥିତ ରହିବେ । ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ବିଦ୍ୟାଳୟ କୋଠା ଓ ଆନୁଷଙ୍ଗିକ
ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଦ୍ୟାଳୟ ଗୁଡ଼ିକ ୨୪ ଘଣ୍ଟା
ଖୋଲା ରଖିବା ପାଇଁ ରୋଷ୍ଟର ଡ୍ୟୁଟି ପ୍ରଚଳନ ପାଇଁ ପ୍ରଧାନଶିକ୍ଷକ ଏବଂ ଅଧ୍ୟକ୍ଷମାନଙ୍କୁ
ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ତୁରନ୍ତ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଏଥି ସହ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
କରାଯାଇଛି ।
ଜିଲ୍ଲାପାଳ ସମସ୍ତ
ବିଦ୍ୟାଳୟକୁ ସ୍କୁଲ ଭବନ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାକୁ ପ୍ରଶାସନିକ ଆବଶ୍ୟକତା ଅନୁଯାୟୀ
ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନଶିକ୍ଷକମାନଙ୍କୁ ରୋଷ୍ଟର
ଡ୍ୟୁଟି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି,
ଯାହାଫଳରେ ବିଦ୍ୟାଳୟ ୨୪ ଘଣ୍ଟା ଖୋଲା ରହିପାରିବ ଏବଂ ଆବଶ୍ୟକ
ପଡ଼ିଲେ ଜିଲ୍ଲା ପ୍ରଶାସନକୁ ସବୁବେଳେ ସହଯୋଗ ଯୋଗାଇ ଦିଆଯାଇପାରିବ। ଏହି ସମ୍ପର୍କରେ କୌଣସି ପ୍ରକାରର
ଅବହେଳା କିମ୍ବା ଦାୟିତ୍ୱରେ ତ୍ରୁଟିକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ
କରିଛି।
ପ୍ରଶାସନିକ ଆବଶ୍ୟକତାକୁ
ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ତୁରନ୍ତ
ପ୍ରଭାବରୁ ବାତିଲ କରାଯାଇଛି। ସମସ୍ତ ଅଧିକାରୀଙ୍କୁ ନିଜ ନିଜ କାର୍ଯ୍ୟସ୍ଥଳରେ ଅନିବାର୍ଯ୍ୟ
ଭାବେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସକ୍ଷମ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା
କାର୍ଯ୍ୟସ୍ଥଳ ଛାଡ଼ିବା ଉପରେ ରୋକ ଲଗାଯାଇଛି। ଯେଉଁ କର୍ମଚାରୀମାନେ ଛୁଟିରେ କିମ୍ବା ମୁଖ୍ୟାଳୟ
ବାହାରେ ଅଛନ୍ତି, ସେମାନଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହାସହ ଆଜିଠାରୁ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ
କର୍ମଚାରୀଙ୍କ କୌଣସି ପ୍ରକାରର ଛୁଟି ମଞ୍ଜୁର କରାଯିବ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା