
ଭୁବନେଶ୍ୱର, 30 ଜୁଲାଇ (ହି.ସ.) ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ
ଶ୍ରୀ ମୋହନ ଚରଣ ମାଝୀ ବନ୍ୟା ପରିସ୍ଥିତି ଉପରେ ସମ୍ପୂର୍ଣ୍ଣ ଦୃଷ୍ଟି ରଖିଛନ୍ତି। ମାନ୍ୟବର
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର,
ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରଶାସନ ଅହୋରାତ୍ର ନିରନ୍ତର
କାର୍ଯ୍ୟ କରୁଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ସମସ୍ତ ଜିଲ୍ଲା ପ୍ରଶାସନ ସହ
ସମନ୍ୱୟ ରକ୍ଷା କରି ସ୍ଥିତିର ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା
ଦେଇ ଏନ୍ଡିଆର୍ଏଫ୍, ଓଡ଼୍ରାଫ୍ ଏବଂ ଅଗ୍ନିଶମ ସେବାର ବହୁସଂଖ୍ୟକ ଉଦ୍ଧାରକାରୀ ଟିମ୍କୁ
କ୍ଷେତ୍ର ସ୍ତରରେ ନିୟୋଜିତ କରାଯାଇଛି।
ଜଳବନ୍ଦୀ ଓ ପ୍ରଭାବିତ
ଅଞ୍ଚଳରୁ ବ୍ୟାପକ ସଂଖ୍ୟକ ନାଗରିକଙ୍କ ସହ ଗୋସମ୍ପଦକୁ ମଧ୍ୟ ସୁରକ୍ଷିତ ଆଶ୍ରୟସ୍ଥଳକୁ
ସ୍ଥାନାନ୍ତର କରାଯାଇଛି। ବନ୍ୟା ବିପନ୍ନଙ୍କ ଆଶ୍ରୟ ଓ ଆହାର ପାଇଁ ସମସ୍ତ ଗୁରୁତ୍ୱପୂର୍ଣ୍ଣ
ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବହୁସଂଖ୍ୟକ ରିଲିଫ୍ କ୍ୟାମ୍ପ ଓ
ରନ୍ଧାଖାଦ୍ୟ କେନ୍ଦ୍ର ମାଧ୍ୟମରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହାସହିତ ଜରୁରୀକାଳୀନ ରିଲିଫ୍
ଭାବେ ପର୍ଯ୍ୟାପ୍ତ ପରିମାଣର ଚାଉଳ, ଚୁଡ଼ା ଏବଂ ଗୁଡ଼ ବଣ୍ଟନ କରାଯାଉଛି। ଗୋସମ୍ପଦର ସୁରକ୍ଷା ପାଇଁ ଗୋଖାଦ୍ୟ ଯୋଗାଇ
ଦିଆଯାଇଛି। ସମସ୍ତ ସମ୍ପୃକ୍ତ ଅଧିକାରୀ କ୍ଷେତ୍ର
ସ୍ତରରେ ରହି ପରିସ୍ଥିତି ନିୟନ୍ତ୍ରଣ ଓ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ
ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା