
ବଲାଙ୍ଗିର, ୩୦ ଜୁଲାଇ (ହି.ସ.)- ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ପୁଣି ଏକ ମହତ ଓ ମାନବୀୟ କାର୍ଯ୍ୟ ଦେଖିବାକୁ ମିଳୁଛି । ଜଣେ ଅସହାୟ ପରିବାରର ଦୁଃଖ ସମୟରେ ଛିଡା ହୋଇ ମୃତ ନବଜାତ ଶିଶୁର ଅନ୍ତିମ ସତ୍କାର କରି ସମାଜରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ।
ମିଳିଥିବା ସୂଚନା ଅନୁଯାୟୀ, ନୁଆପଡା ଜିଲ୍ଲା ସୁନାବେଡା ଗ୍ରାମର କୁନାଲ ଖମାରୀଙ୍କ ପତ୍ନୀ ସୁକାନ୍ତି ଗତକାଲି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ଆଜି ସକାଳେ ଶିଶୁ ପୁତ୍ରଟିର ମୃତ୍ୟୁ ଘଟିଥିଲା । ବଲାଙ୍ଗିର ସହରରେ କୌଣସି ସମ୍ପର୍କୀୟ ନ ଥିବାରୁ ଶିଶୁର ବାପା ଓ ମା ସମ୍ପୂର୍ଣ୍ଣ ନିରୁପାୟ ହୋଇପଡିଥିଲେ । କୌଣସି ମତେ ଖବର ପାଇବା ପରେ କୁନାଲ ଖମାରୀ ଫୋନ ମାଧ୍ୟମରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କୁ ସମସ୍ତ ବିଷୟ ଜଣାଇ ସହଯୋଗ ପ୍ରାର୍ଥନା କରିଥିଲେ । ଘଟଣାର ଗାମ୍ଭୀର୍ଯ୍ୟ ବୁଝି ସଭାପତି ଶ୍ରୀ ଭୋଇ ବିନା ଦ୍ୱିଧାରେ ନିଜ ବ୍ୟକ୍ତିଗତ ଗାଡି ଧରି ତୁରନ୍ତ ହସ୍ପିଟାଲ ପହଂଚି ଥିଲେ । ପରେ ସମାଜସେବୀ ଅସୀମ ଭୋଇ ମୃତ ଶିଶୁର ବାପା ଏବଂ ଯୁବ କୁଲୁତା ସମାଜର ସଦସ୍ୟ ପ୍ରଫୁଲ୍ଲ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କ ସହଯୋଗରେ ମୃତ ଶିଶୁ ପୁତ୍ରକୁ ଟିଟିଲାଗଡ ରାସ୍ତା ଚମଡା ଦୋଦାମ ନିକଟସ୍ଥ ଜଙ୍ଗଲରେ ସସମ୍ମାନ ଶେଷ ସତ୍କାର କରିଥିଲେ । ଯୁବ କୁଲୁତା ସମାଜର ଏହିପରି ନିସ୍ୱାର୍ଥପର ଓ ମାନବୀୟ ସେବା ପାଇଁ ବଲାଙ୍ଗିରର ବିଭିନ୍ନ ମହଲ ସମେତ ଓଡିଶା ଓ ଛତିଶଗଡର କୁଲତା ସମାଜର ସମସ୍ତ ସଦସ୍ୟ ଓ ବୁଦ୍ଧିଜିବୀମାନେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ଭୂୟସୀ ପ୍ରଶଂସା କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ